ମା ବିରାଜାଙ୍କ ଆଶୀର୍ବାଦରେ ପାକ୍ଷିକ ଖବରକାଗଜ “ଖବର ଦର୍ପଣ”ର ଶୁଭାରମ୍ଭ
ଯାଜପୁର ( ନି.ପ୍ର): ଆଦ୍ୟଶକ୍ତି ପୀଠ ମା ବିରାଜା ମନ୍ଦିର ର ପବିତ୍ର ପାଦପଦ୍ମରୁ ପାକ୍ଷିକ ଓଡ଼ିଆ ଖବରକାଗଜ “ଖବର ଦର୍ପଣ” ର ଶୁଭ ଉନ୍ମୋଚନ ହୋଇଛି। ଲୋକଙ୍କ ସ୍ୱରକୁ ସ୍ପଷ୍ଟ ଭାବରେ ଉପସ୍ଥାପନ କରିବାର ଦୃଢ଼ ସଙ୍କଳ୍ପ ସହ ଏହି ନୂତନ ପ୍ରୟାସ ଆଜି ଆଧିକାରିକ ଭାବେ ଆରମ୍ଭ ହୋଇଛି। ଶୁଭାରମ୍ଭ ପୂର୍ବରୁ ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ, ଖବରକାଗଜକୁ ଦେବୀଙ୍କ ଆଶୀର୍ବାଦ ଅର୍ପଣ କରାଯାଇଥିଲା। ପରେ ମନ୍ଦିର ସେବାୟତ ପରିଷଦ, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଓ ଅତିଥିମାନଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ ହୋଇଥିଲା।
ପ୍ରାରମ୍ଭିକ ପର୍ଯ୍ୟାୟରେ ପାକ୍ଷିକ ଭାବେ ପ୍ରକାଶିତ ହେବାକୁ ଯାଉଥିବା “ଖବର ଦର୍ପଣ” ଜନମାନସର ସମସ୍ୟା, ଆଶା-ଆକାଂକ୍ଷା ଓ ଅନୁଭୂତିକୁ ପ୍ରାଥମିକତା ଦେବାକୁ ପ୍ରତିବଦ୍ଧ ବୋଲି ସମ୍ପାଦକ ପଦ୍ମନାଭ ପହି କହିଛନ୍ତି।“ଖବର ଦର୍ପଣ ଲୋକଙ୍କ ସ୍ୱର ହେବ। ସତ୍ୟ, ନିଷ୍ପକ୍ଷ ଓ ନିର୍ଭୀକ ସାମ୍ବାଦିକତା ଆମର ପ୍ରାଥମିକତା।” ଉପସ୍ଥିତ ସାମ୍ବାଦିକ ଓ ସେବାୟତମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ଆୟୋଜକମାନେ ସମ୍ମାନିତ କରିଥିଲେ। ବରିଷ୍ଠ ସାମ୍ବାଦିକମାନେ ଖବରକାଗଜର ଉନ୍ନତି ନେଇ ମତାମତ ରଖିବା ସହ ସାମ୍ବାଦିକଙ୍କ ନିଷ୍ପେଷିତ ଜୀବନଶୈଳୀ ଓ ଚ୍ୟାଲେଞ୍ଜକୁ ନେଇ ଗଭୀର ଆଲୋକପାତ କରିଥିଲେ।“ସତ୍ୟ ସାମ୍ବାଦିକତା ସମାଜର ଆଇନା। ‘ଖବର ଦର୍ପଣ’ ଏହି ଦାୟିତ୍ୱକୁ ନିଶ୍ଚୟ ନିଭାଇବ ବୋଲି ଆମର ଆଶା।”
ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଗାମୀ ଦିନରେ ସାରା ରାଜ୍ୟରେ ପାଠକମାନଙ୍କ ପାଖକୁ ପହଞ୍ଚିବା ଲକ୍ଷ୍ୟ ରଖିଛି। ଅତିଥିମାନେ ଏହାର ଦୀର୍ଘାୟୁ ଓ ଭବିଷ୍ୟତରେ ପ୍ରତିଦିନ ପ୍ରକାଶ ପାଇବାକୁ ନେଇ ଆଶା ବ୍ୟକ୍ତ କରିଥିଲେ। ସାମ୍ବାଦିକତାର ନୂତନ ଅଧ୍ୟାୟ ରଚନା କରିବାକୁ ଆଗୁଆ ହୋଇଥିବା “ଖବର ଦର୍ପଣ” ପ୍ରତି ସାଧାରଣରେ ବେଶ୍ ପ୍ରଶଂସା ଓ ଆଶା ଦେଖାଯାଇଛି।
