ଯଖପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଜନ ଆରୋଗ୍ୟ ସମିତି’ ବୈଠକ: ସମସ୍ୟା ଘେରରେ ଡାକ୍ତରଖାନା, ସିଏସଆର୍ ପାଣ୍ଠି ବିନିଯୋଗ ନେଇ ଉଠିଲା ପ୍ରଶ୍ନ

ଯଖପୁରା/କଳିଙ୍ଗନଗର,୨୫/୩ (ପଦ୍ମନାଭ ପହି): ଶିଳ୍ପାଞ୍ଚଳର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ର ଯଖପୁରା ଡାକ୍ତରଖାନା ଏବେ ଅବହେଳାର ଚରମ ସୀମାରେ। ବୁଧବାର ଡାକ୍ତରଖାନା ପରିସରରେ ଅନୁଷ୍ଠିତ ‘ଜନ ଆରୋଗ୍ୟ ସମିତି’ (RKS)ର ପରିଚାଳନା ପରିଷଦ ବୈଠକରେ ବିଭିନ୍ନ ସମସ୍ୟାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷକରି ଡାକ୍ତର ଓ କର୍ମଚାରୀ ଅଭାବ ସାଙ୍ଗକୁ ଶିଳ୍ପସଂସ୍ଥାମାନଙ୍କ ବିମୁଖ ଆଭିମୁଖ୍ୟକୁ ନେଇ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନେ ପ୍ରଶ୍ନ ଉଠାଇଛନ୍ତି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ବର୍ଷ ହେବ ଏଠାରୁ ଜଣେ ମେଡିକାଲ ଅଫିସର ଡେପୁଟେସନରେ ଯାଇଥିଲେ ମଧ୍ୟ ସେ ଫେରିନାହାନ୍ତି କିମ୍ବା ତାଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଇ ନାହିଁ। ଦୀର୍ଘ ୪ ବର୍ଷ ଧରି ବହୁ କର୍ମଚାରୀ ପଦବୀ ଖାଲି ପଡ଼ିଥିବାରୁ ସାଧାରଣ ରୋଗୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ନର୍ସିଂ ଷ୍ଟାଫ୍‌ଙ୍କ ଅଭାବ ଯୋଗୁଁ ରୋଗୀମାନେ ଠିକ୍ ସମୟରେ ଇଞ୍ଜେକ୍ସନ ଟିକେ ମଧ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।ଯଖପୁରା ଡାକ୍ତରଖାନା ଚତୁଃପାର୍ଶ୍ୱରେ ଦେଶର ବଡ଼ ବଡ଼ ଇସ୍ପାତ ଓ ଶିଳ୍ପସଂସ୍ଥା ରହିଛି। ଶିଳ୍ପାଞ୍ଚଳର ଧୂଳି ଓ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଏହି ଡାକ୍ତରଖାନାଟି ସେମାନଙ୍କ ପାଇଁ ଏକମାତ୍ର ଭରସା। ମାତ୍ର ଦୁଃଖର ବିଷୟ, ବାରମ୍ବାର ଚିଠି ଲେଖାଯିବା ସତ୍ତ୍ୱେ କୌଣସି ଶିଳ୍ପସଂସ୍ଥା ନିଜର ସିଏସଆର ପାଣ୍ଠିରୁ ମେଡିକାଲର ଉନ୍ନତି ପାଇଁ ସହଯୋଗ କରୁନାହାନ୍ତି।

ଏହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଆଗକୁ ପ୍ରଖର ଗ୍ରୀଷ୍ମ ପ୍ରବାହ ଆସୁଥିବା ବେଳେ ମେଡିକାଲରେ ଥ୍ରୀ-ଫେଜ୍ ବିଦ୍ୟୁତ୍ ସଂଯୋଗ ପାଇଁ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଫରମର ବସିପାରିନାହିଁ। ଫଳରେ ‘ସନ୍ ଷ୍ଟ୍ରୋକ୍’ ୱାର୍ଡରେ ଏସି କାମ କରୁନାହିଁ। ଏହି ବିଦ୍ୟୁତ୍ ସମସ୍ୟା ଯୋଗୁଁ ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ବ୍ୟବହାରରେ ମଧ୍ୟ ବାଧା ସୃଷ୍ଟି ହେଉଛି। ସେହିପରି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ RWSS ବିଭାଗ ପକ୍ଷରୁ ସୌରଶକ୍ତି ଚାଳିତ ପାଣି ପମ୍ପ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି।୧୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ତଥା ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷା ସୁଚିତ୍ରା ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଜ୍ୟୋତି ରଞ୍ଜନ ମହାପାତ୍ର, ଡା. ଅମୂଲ୍ୟ କୁମାର ନାୟକ, ମଙ୍ଗଳପୁର ସରପଞ୍ଚ ବାବୁଲି ନଟିଆ, କୁମ୍ଭୀରଗାଡ଼ିଆ ସରପଞ୍ଚ ବିନୋଦ କୁମାର ଦଳେଇ, ସମିତିର ସଭ୍ୟ ଅକ୍ଷୟ କୁମାର ଧଳ, ଯଖପୁରା ସ୍କୁଲ ଶିକ୍ଷୟତ୍ରୀ ଓ ବିକାଶ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

About The Author