ଯୁବ ସରପଞ୍ଚଙ୍କ ଅକାଳ ମୃତ୍ୟୁରେ କଳିଙ୍ଗନଗରରେ ଶୋକର ଛାୟା

WhatsApp Image 2026-04-30 at 3.18.25 PM

କଳିଙ୍ଗନଗର, ୨୯ ଏପ୍ରିଲ (ଖବର ଦର୍ପଣ): ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ଓ ଯୁବ ବିଜେପି ନେତା ସ୍ମୃତିରଞ୍ଜନ ଜେନା (ମିଟିକା) (୪୨)ଙ୍କ ଅକାଳ ମୃତ୍ୟୁ ଅଞ୍ଚଳରେ ଗଭୀର ଶୋକର ଛାୟା ଫେଲାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାବସାନ ଘଟିଥିଲା। ସେ ବ୍ରେନ୍ ଷ୍ଟ୍ରୋକରେ ପୀଡ଼ିତ ହୋଇ କିଛି ଦିନ ଧରି ଚିକିତ୍ସାଧୀନ ଥିଲେ।
ସ୍ମୃତିରଞ୍ଜନ ଜେନା ଅଞ୍ଚଳରେ ଜଣେ ମେଳାପୀ, ସେବାମନୋଭାବୀ ଓ ଦୃଢ଼ ସଂଗଠକ ଭାବେ ପରିଚିତ ଥିଲେ। ତାଙ୍କର ଅପରିମିତ ସମାଜସେବା ଓ ଲୋକମାନଙ୍କ ସହ ସଜଜ ସମ୍ପର୍କ ତାଙ୍କୁ ସବୁ ଶ୍ରେଣୀର ଲୋକଙ୍କ ମନରେ ଅଲଗା ସ୍ଥାନ ଦେଇଥିଲା।
ମୃତ୍ୟୁ ସମ୍ବାଦ ପ୍ରଚାରିତ ହେବା ସହିତ ଅଞ୍ଚଳରେ ଶୋକର ମହଲ ସୃଷ୍ଟି ହୋଇଥିଲା। ସୁକିନ୍ଦା ବିଧାୟକ ଓ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଥିଲେ। ସେହିପରି ଓଏମବିଉର ସଭାପତି ସବ୍ୟସାଚୀ ବଳ ସାମନ୍ତ ଓ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ସହ ଅନେକ ରାଜନୈତିକ ଓ ସାମାଜିକ ନେତାମାନେ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ।
ସନ୍ଧ୍ୟାବେଳେ ତାଙ୍କ ମରଦେହ ଗାଁକୁ ପହଞ୍ଚିବା ପରେ ସମସ୍ତ ଅଞ୍ଚଳ ଶୋକାକୁଳ ହୋଇଯାଇଥିଲା। “ମିଟିକା ଭାଇ ଅମର ରହେ” ନାରାରେ ଗାଁ ମୁଖରିତ ହୋଇଯାଇଥିଲା। ଶୋଭାଯାତ୍ରା ମାଧ୍ୟମରେ ଶତାଧିକ ଲୋକ ତାଙ୍କୁ ଶେଷ ବିଦାୟ ଦେଇଥିଲେ।
ଦଳ-ମତ ନିର୍ବିଶେଷରେ ସମସ୍ତ ସରପଞ୍ଚ, ଲୋକପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକମାନେ ଉପସ୍ଥିତ ହୋଇ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଯୁବ ନେତାଙ୍କ ଅକାଳ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି।

About The Author