September 10, 2026

କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟଙ୍କୁ ନିଯୁକ୍ତି ଦାବି

WhatsApp Image 2026-06-04 at 10.40.21 PM (1)

ଯାଜପୁର, ୦୩/୦୬: କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ଯଥୋଚିତ ନିଯୁକ୍ତି ଦେବା ଦାବି ପୁଣିଥରେ ଜୋର ଧରିଛି। ଏନେଇ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଯାଜପୁର ଜିଲ୍ଲାପାଳଙ୍କୁ ଏକ ବିସ୍ତୃତ ପତ୍ର ଲେଖି ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶତାଧିକ ଶିଳ୍ପ ସଂସ୍ଥା କାର୍ଯ୍ୟରତ ଥିବା ସତ୍ତ୍ୱେ ଭୂମି ହରାଇଥିବା ଓ ପ୍ରଭାବିତ ପରିବାରର ଅନେକ ଯୁବକ-ଯୁବତୀ ଏପର୍ଯ୍ୟନ୍ତ ଚାକିରି ସୁଯୋଗରୁ ବଞ୍ଚିତ ରହିଛନ୍ତି। ଶିଳ୍ପାୟନ ପାଇଁ ଜମି ଦେଇଥିବା ଲୋକମାନେ ଆଜି ନିଯୁକ୍ତି ଆଶାରେ ଅପେକ୍ଷା କରୁଥିବା ବେଳେ ବାହାର ଅଞ୍ଚଳର ଲୋକଙ୍କୁ ପ୍ରାଥମିକତା ଦିଆଯାଉଥିବା ଅଭିଯୋଗ ଉଠିଛି।
ପୂର୍ବତନ ମନ୍ତ୍ରୀଙ୍କ ମତାନୁସାରେ, ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ସୁପରଭାଇଜରୀ ଓ ପରିଚାଳନା ସ୍ତରରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିର୍ଦ୍ଦିଷ୍ଟ ପ୍ରତିଶତ ନିଯୁକ୍ତି ଦେବାକୁ ସ୍ପଷ୍ଟ ବ୍ୟବସ୍ଥା କରାଯିବା ଆବଶ୍ୟକ। ସେ କହିଛନ୍ତି ଯେ ଶିଳ୍ପ ସଂସ୍ଥାଗୁଡ଼ିକ କେବଳ ଉତ୍ପାଦନ ନୁହେଁ, ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ଭାଗୀଦାର ହେବା ଉଚିତ।
ଚିଠିରେ ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା, ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ, ନିୟମିତ ନିରୀକ୍ଷଣ ଓ ଭୂମିହରା ପରିବାରଙ୍କ ଅଧିକାର ସୁରକ୍ଷା ପାଇଁ ପ୍ରଶାସନିକ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଏହି ପତ୍ର ପରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଜିଲ୍ଲା ପ୍ରଶାସନ ଏହା ଉପରେ କି ପଦକ୍ଷେପ ନେଉଛି ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

About The Author