କଳିଙ୍ଗନଗରରେ ପ୍ରଦୂଷଣ ପ୍ରଶ୍ନ: ନୀଳାଚଳ ଇସ୍ପାତର ସ୍ପଷ୍ଟୀକରଣ, ତଥାପି ଉଠୁଛି ବଡ଼ ପ୍ରଶ୍ନ
ଯାଜପୁର, କଳିଙ୍ଗନଗର ୦୪/୦୬: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ Nilachal Ispat Nigam Limited କାରଖାନାରୁ ବହୁ ପରିମାଣର ଧୂଆଁ ନିର୍ଗତ ହେଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ କାରଖାନା ପରିଚାଳନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନ ଉଠିଛି।
କାରଖାନା ପରିଚାଳନା ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ପ୍ରାୟ ୧୨ଟା ୧୦ ମିନିଟ୍ ସମୟରେ ହଠାତ୍ ବିଦ୍ୟୁତ୍ ଗ୍ରୀଡ୍ରେ ବ୍ୟାଘାତ ଘଟିବାରୁ ଉତ୍ପାଦନ ପ୍ରକ୍ରିୟାରେ ସାମୟିକ ସମସ୍ୟା ଦେଖାଦେଇଥିଲା। ଜରୁରୀ ପରିସ୍ଥିତିରେ ସିଷ୍ଟମକୁ ସୁରକ୍ଷିତ ରଖିବା ପାଇଁ ବ୍ୟାକଅପ୍ ଇନ୍ଧନ ଭାବେ ଲାଇଟ୍ ଡିଜେଲ୍ ଅଏଲ୍ ବ୍ୟବହାର କରାଯାଇଥିଲା, ଯାହା ଫଳରେ କିଛି ସମୟ ପାଇଁ ଧୂଆଁ ନିର୍ଗମନ ହୋଇଥିଲା। ପ୍ରାୟ ପାଞ୍ଚ ମିନିଟ୍ ମଧ୍ୟରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇଯିବା ପରେ ନିର୍ଗମନ ମଧ୍ୟ ନିୟନ୍ତ୍ରିତ ସ୍ତରକୁ ଫେରି ଆସିଥିବା ଦାବି କରିଛି କମ୍ପାନୀ।
ତେବେ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିବା ବେଳେ ଏହି ଘଟଣା ନୂଆ ବିବାଦ ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦାଙ୍କ ମତରେ, କେବଳ ନୀଳାଚଳ ଇସ୍ପାତ ନୁହେଁ, କଳିଙ୍ଗନଗରର ଏକାଧିକ ଶିଳ୍ପ ସଂସ୍ଥାରୁ ନିୟମିତ ଭାବେ ଧୂଳି ଓ ଧୂଆଁ ନିର୍ଗତ ହେଉଥିବା ଅଭିଯୋଗ ରହିଛି। ଏହା ସତ୍ତ୍ୱେ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ତତ୍ପରତା ଦୃଶ୍ୟମାନ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ପରିବେଶ ସୁରକ୍ଷା ଏବଂ ନିୟମ ପାଳନ ପ୍ରତି କମ୍ପାନୀ ପ୍ରତିବଦ୍ଧ ବୋଲି ଦାବି କରୁଥିବା ବେଳେ, ଏହି ଘଟଣା ପରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାର ବାସ୍ତବ ଚିତ୍ର କ’ଣ ଏବଂ ସମ୍ପୃକ୍ତ ବିଭାଗ କେତେ ସକ୍ରିୟ ଭୂମିକା ନେଉଛି, ତାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
ପ୍ରଶ୍ନ ଏବେ ଗୋଟିଏ — କଳିଙ୍ଗନଗରରେ ବଢ଼ୁଥିବା ପ୍ରଦୂଷଣ ଅଭିଯୋଗ ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ କେବେ କଠୋର ପଦକ୍ଷେପ ନେବ?
