ଡୁବୁରୀରେ ବିଜେଡିର ମହିଳା ଅଧିକାର ସମାବେଶରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ବିଜେଡି ନେତୃତ୍ୱ, ହଜାର ହଜାର ମହିଳାଙ୍କ ଶକ୍ତି ପ୍ରଦର୍ଶନ

WhatsApp Image 2026-06-06 at 7.54.14 PM

ଳିଙ୍ଗନଗର ୬ ଜୁନ: ସୁକିନ୍ଦା ନିର୍ବାଚନମଣ୍ଡଳୀର ଡୁବୁରୀଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ “ମହିଳା ଅଧିକାର ସମାବେଶ” ଅନୁଷ୍ଠିତ ହୋଇଯାଇଛି। କପିଳେଶ୍ୱର ମହାଦେବଙ୍କ ନିକଟସ୍ଥ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ହଜାର ହଜାର ମହିଳାଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା।
ବିଜେଡି ମହିଳା ନେତ୍ରୀ ତଥା ସୁକିନ୍ଦା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ।
ସେ କହିଥିଲେ ଯେ, ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମହିଳାମାନଙ୍କ ପାଇଁ ଚାଲୁଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ବର୍ତ୍ତମାନ ସରକାର ଦୁର୍ବଳ କରିଦେଇଛନ୍ତି। ମହିଳାଙ୍କ ସଶକ୍ତିକରଣ, ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ ମଧ୍ୟ ସେ କରିଥିଲେ।
ସମାବେଶରେ ସୁକିନ୍ଦାର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ କହିଥିଲେ ଯେ, ବିଜେଡି ସରକାର ସମୟରେ ମିଶନ ଶକ୍ତି ମାଧ୍ୟମରେ ଲକ୍ଷ ଲକ୍ଷ ମହିଳା ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଥିଲେ। କିନ୍ତୁ ବର୍ତ୍ତମାନ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇ ମହିଳାଙ୍କ ସ୍ୱାର୍ଥକୁ ଅବହେଳା କରୁଥିବା ସେ ଅଭିଯୋଗ କରିଥିଲେ।
ସମାବେଶରେ ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଓ ନେତ୍ରୀ ଉପସ୍ଥିତ ରହି ସରକାରଙ୍କ ନୀତି ବିରୋଧରେ ମତ ରଖିଥିଲେ।
ଏହାଛଡ଼ା ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ମହିଳା ନେତୃବୃନ୍ଦ ଉପସ୍ଥିତ ଥିଲେ।
ସମାବେଶ ପୂର୍ବରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସମାବେଶ ସ୍ଥଳରେ ପହଞ୍ଚିଥିଲା। ହଜାର ହଜାର ମହିଳାଙ୍କ ଯୋଗଦାନ ସହ ଏହି ଶୋଭାଯାତ୍ରା ଡୁବୁରୀ ଅଞ୍ଚଳରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

About The Author