ଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି ମଲ୍ଲୀ ମହାନ୍ତ(ଫୁଲ ମାଉସୀ)

WhatsApp Image 2026-06-11 at 4.00.46 PM

କାଳିଆପାଣି : ଖଣି ଶ୍ରମିକ ଭାବେ କାମ କରୁଥିବା ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ନପଡ଼ି ଜୀବନ ଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି ବୃଦ୍ଧା ମଲ୍ଲୀ ମହାନ୍ତ(୭୫)। କାହା ଉପରେ ବୋଝ ନହେବାର ଝୁଙ୍କ୍ ଓ କଠିନ ପରିଶ୍ରମ ବଳରେ ସେ ଚାଷବାସ କରି ଆତ୍ମନିର୍ଭର ହୋଇପାରିଛନ୍ତି। ଅଢ଼େଇରୁ ୩ ଗୁଣ୍ଠ ଜମିକୁ ବର୍ଷ ତମାମ୍‌ ସବୁଜିମା କରି ରଖିବା ସହ ସେ ବିଭିନ୍ନ ପ୍ରକାର ଶାଗ ଓ ବୋଇତାଳୁ ଫୁଲ ବିକି ଦୈନିକ ୨୫୦ ରୁ ୪ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଏଥିପାଇଁ ତାଙ୍କୁ ପ୍ରତିଦିନ ୪ କିଲୋମିଟର ଯାତାୟତ କରିବାକୁ ହୋଇଥାଏ। ବାଡ଼ି ବଗିଚାରେ ଶ୍ରମଦାନ ଅତିରିକ୍ତ ଏହି ମର୍ଣ୍ଣିଂ ୱାକ୍‌(ପ୍ରାତଃ ଭ୍ରମଣ) ତାଙ୍କୁ ସୁସ୍ଥ ଓ ନିରୋଗ ରଖିବାରେ ସହାୟକ ‌ହୋଇପାରିଥିବା ସେ କହନ୍ତି।

ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ପୁରିଆଝର ଗାଁର ସ୍ବର୍ଗତ ଭାଗିରଥୀ ମହାନ୍ତଙ୍କ ପତ୍ନୀ ମଲ୍ଲୀ ମହାନ୍ତ। ବର୍ଷରେ ୧୦ ମାସରୁ ଅଧିକ ଦିନ ତାଜା ବୋଇତାଳୁ ଫୁଲ ବିକି ଆସୁଥିବାରୁ ସାଧାରଣରେ ସେ ଫୁଲ ମାଉସୀ ଭାବେ ଜଣାଶୁଣା। ୧୦ ବର୍ଷ ତଳେ ମହାନ୍ତ ତଥା କୁଡ଼ୁମି ସଂପ୍ରଦାୟର ଗଣପର୍ବ କାଳୀପୂଜା ସମୟରେ ତାଙ୍କ ସ୍ବାମୀଙ୍କ ଅକାଳ ମୃତ୍ୟୁ କଥା ମନେ ପକାଇ ଦୁଃଖ କରନ୍ତି। ୩ ପୁଅ ସେତେବେଳେ ରୋଜଗାରକ୍ଷମ ନଥିବାରୁ ନିଜେ ପରିବାର ସମ୍ଭାଳିବାକୁ ଅଣ୍ଟା ଭିଡ଼ିଥିଲେ ମଲ୍ଲୀ। ଘରବାଡ଼ିରେ ଜୈବିକ ପଦ୍ଧତିରେ କେବଳ ଶାଗଚାଷ ଯୋଜନା କରିଥିଲେ।


ସ୍ଥାନୀୟ ଏକାଧିକ ଖଣି କର୍ତ୍ତୃପକ୍ଷଙ୍କ ସାମାଜିକ ଦାୟିତ୍ବବୋଧ ଯୋଜନାରୁ ପୁଷ୍ଟି ଉଦ୍ୟାନ ପାଇଁ ଖଣି ପାରିପାର୍ଶ୍ବିକ ଅଞ୍ଚଳବାସୀଙ୍କୁ ମାଗଣାରେ ବିହନ ଓ ମଞ୍ଜି ଦିଆଯାଉଥିବାରୁ ସେ ଉତ୍ସାହିତ ହୋଇପଡ଼ିଥିଲେ। ଋତୁ ଆଧାରରେ ସେ କୋଶଳା, ନିଲଜି, ଲେଉଟିଆ ଓ କଳମ ଶାଗ ଅମଳ କରିଥାନ୍ତି। ବାଡ଼ କଡ଼େକଡ଼େ ବୋଇତାଳୁ ଗଛ ଲଗାଇ ଏଥିରୁ ମୁଖ୍ୟତଃ ଫୁଲ ଅମଳ କରିଥାନ୍ତି। ଯାଆ ରୋଦନୀ ମହାନ୍ତଙ୍କ ବାଡ଼ିର ଖୋଲାକୂଅ ଓ ପାଖ ନଳକୂଅରୁ ପାଣି ବୋହି କିଆରିରେ ମଡ଼ାଇଥାନ୍ତି। ଏଥିସହ ବାଡ଼ିରେ ଉପୁଜାଉଥିବା ବଳକା ପନିପରିବା କୁନ୍ଦୁରି, କଲରା, ଭେଣ୍ଡି, ଜହ୍ନି, ଝୁଡ଼ଙ୍ଗ, ବୋଇତାଳୁ ଡଙ୍କ ଇତ୍ୟାଦି ବିକିଥାନ୍ତି।


ସକାଳ ସାଢ଼େ ୫ଟା ସୁଦ୍ଧା ଫୁଲ ଓ ଶାଗ ତୋଳି, ବିଡ଼ା ବାନ୍ଧି ଏସବୁକୁ ମାଣ୍ଡିଆରେ ମୁଣ୍ଡାଇ ଘର ପାଖରୁ ପାଖାପାଖି ୨ କିଲୋମିଟର ଦୂର ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ସଂଲଗ୍ନ କାଳିଆପାଣି ତାରିଣୀ ମାର୍କେଟ୍‌ ଏଟିଏମ୍‌ ଛକ ପାଖ ସବୁଦିନିଆ ପରିବା ହାଟ ଆସିଥାନ୍ତି। ଉତ୍ତମ ବ୍ୟବହାର ଓ ସତେଜ ପନିପରିବା ପାଇଁ ସ୍ବତନ୍ତ୍ର ଗ୍ରାହକ ଥିବାରୁ ସକାଳ ସାଢ଼େ ୮ଟା ସୁଦ୍ଧା ତାଙ୍କର ସବୁ ପନିପରିବା ବିକ୍ରି ହୋଇଯାଉଥିବା ସେ କହନ୍ତି। ୯ଟା ସୁଦ୍ଧା ଘରେ ପହଞ୍ଚି ବାଡ଼ିବଗିଚା କାମ‌ରେ ଲାଗି ପଡ଼ନ୍ତି। ତାଙ୍କ ‌ରୋଜଗାରୁ ସେ ନାତିନାତୁଣୀଙ୍କ ଅଳି ଅର୍ଦ୍ଦଳି ବୁଝିଥାନ୍ତି। ବନ୍ଧୁ ବାନ୍ଧବ ବେଭାର ଓ ପର୍ବପର୍ବାଣୀ ପାଳିଥାନ୍ତି। ସୁଭଦ୍ରା ଯୋଜନାରେ ସଫଳ ମହିଳାଙ୍କ ଦୃଷ୍ଟାନ୍ତ ନଗଣ୍ୟ ଥିବା ସ୍ଥଳେ ବରିଷ୍ଠ ନାଗରିକ ମଲ୍ଲୀ ମହାନ୍ତ ଆମ ପାଇଁ ପ୍ରେରଣା ବୋଲି ସରପଞ୍ଚ କନକଲତା ସର୍ଦ୍ଦାର କହନ୍ତି।

About The Author