ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

cm

ଭୁବନେଶ୍ୱର: ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ମହାନ ପର୍ବ । ପରିବେଶ ସୁରକ୍ଷାର ବାର୍ତ୍ତା ଏହି ପର୍ବରେ ନିହିତ । ମା’ ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହ ଭାଇଚାରା,ମୈତ୍ରୀ ଓ ସଦ୍ଭାବନାକୁ ସୁଦୃଢ଼ କରେ ଏହି ପର୍ବ । ହର୍ଷୋଲ୍ଲାସର ପର୍ବ ରଜ ଅବସରରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌କହିଛନ୍ତି, ପ୍ରିୟ ଓଡ଼ିଶାବାସୀ, ଭାଇ ଓ ଭଉଣୀମାନେ, ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, ମୃତ୍ତିକା ଓ ମାତୃଶକ୍ତିର ଅନନ୍ୟ ମହାମିଳନର ମହାଗଣପର୍ବ ‘ରଜ’ ଅବସରରେ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା।

ରଜ କେବଳ ପରିବର୍ତ୍ତିତ ଋତୁଚକ୍ରର ଆବାହନୀ ନୁହେଁ; ଏହା ଆମ ସନାତନ ଚେତନାର ଏକ ମହାନ ସାଂସ୍କୃତିକ ସଂସ୍କାର, ପ୍ରକୃତି ପ୍ରତି କୃତଜ୍ଞତା ଓ ନାରୀତ୍ୱ ପ୍ରତି ଗଭୀର ସମ୍ମାନର ଅନନ୍ୟ ଅଭିବ୍ୟକ୍ତି। ଏହି ପରମ୍ପରା ନାରୀତ୍ୱର ପବିତ୍ରତା, ସୃଜନର ସାମର୍ଥ୍ୟ ଏବଂ ମାତୃତ୍ୱର ଗରିମାକୁ ସର୍ବୋଚ୍ଚ ଆସନ ପ୍ରଦାନ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ଏକ ସ୍ୱତନ୍ତ୍ର ଉଚ୍ଚତାରେ ପ୍ରତିଷ୍ଠିତ କରିଛି।

ଆମ ସାଂସ୍କୃତିକ ବିଶ୍ୱାସ ଅନୁଯାୟୀ, ସ୍ୱୟଂ ଭୂଦେବୀ ଏହି ତିନିଦିନ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି। ପ୍ରକୃତିର ଏହି ସର୍ଜନାତ୍ମକ ବିଶ୍ରାମକୁ ସମ୍ମାନ ଜଣାଇ ଆମ ଅନ୍ନଦାତାମାନେ କୃଷି କାର୍ଯ୍ୟ ସ୍ଥଗିତ ରଖି ମାଟି ମା’ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି। ସେହିପରି, ପ୍ରତ୍ୟେକ ଓଡ଼ିଆ ପରିବାରରେ କନ୍ୟା, ମା’ ଓ ଭଉଣୀମାନଙ୍କୁ ଦୈନନ୍ଦିନ ଦାୟିତ୍ୱରୁ ମୁକ୍ତି ଦେଇ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଆନନ୍ଦର ମହୋତ୍ସବ ଭାବେ ଏହି ପର୍ବକୁ ପାଳନ କରାଯାଏ।

About The Author