September 10, 2026

ବେଆଇନ ଗୋରୁ ବ୍ୟବସାୟ ଗିରଫ

WhatsApp Image 2026-07-30 at 7.47.40 PM

ଦିଗପହଣ୍ଡି,୩୦।୭: ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ ଚଳାଇଛନ୍ତି । ପିକ୍ଅପ୍ ଭ୍ୟାନରେ ଗୋରୁ ବିକ୍ରି ପାଇଁ ହାଟକୁ ନେବା ବେଳେ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମର ଟୁକୁନା ନାଇକ ଏବଂ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର ଗାଡ଼ି ଚାଳକ କେଞ୍ଚୁ ନାଇକଙ୍କୁ ଗୁରୁବାର ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ପଠାଇ ଦେଇଛନ୍ତି ।

ସେମାନଙ୍କ ନିକଟରୁ ୮ଟି ଗୋରୁ ଓ ପିକଅପ୍ ଭ୍ୟାନକୁ ଜବତ କରିଥିବା ଜଣାପଡିଛି । ପାଟପୁର ଥାନା ଏଏସଆଇ ସନ୍ତୋଷ କୁମାର ମିଶ୍ର ଏନେଇ ଏତଲା ଦେବାପରେ ମାମଲା ନଂ.୨୧୮/୨୬ ଅନୁଯାୟୀ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି । ପ୍ରାପ୍ତ ଖବରକୁ ଭିତ୍ତିକରି ପୋଡ଼ାମାରି ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଭାତ କୁମାର ବାଲିକାନା ସଦଳବଳେ ଗୁରୁବାର ଭୋର ପ୍ରାୟ ସାଢ଼େ ୪ ଟାରେ ଗୋରୁ ବୋଝେଇ ଗାଡ଼ିକୁ ପିଛା କରି ପୋଡ଼ାମାରି ନିକଟ ବତାଗଡ ଗାଁ ନିକଟରେ ଧରିଥିଲେ। ଉକ୍ତ ଗୋରୁ ଗୁଡ଼ିକୁ ଅଭିଯୁକ୍ତ ଦ୍ବୟ ହାଟରେ ବିକ୍ରି କରିବା ପାଇଁ ନେଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ ତଥା ଫାଣ୍ଡି ଅଧିକାରୀ କହିଛନ୍ତି। ଉଦ୍ଧାର ୮ ଗୋରୁଙ୍କୁ ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ସ୍ଥିତ ଶ୍ରୀ ମଦନ ମୋହନ ଗୋ – ଶାଳା ରେ ଛାଡି ଦିଆଯାଇଥିବା ଜଣାପଡ଼ିଛି।

ଗତ ୨୧ ତାରିଖ ରାତିରେ ପୋଡ଼ାମାରି ଫାଣ୍ଡି ପୋଲିସ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମର ୨ ଜଣ ଗୋରୁ ବେପାରୀ ଅଜୟ ନାଇକ ଏବଂ ଭଗବାନ ନାଇକ ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୫ ଟି ଗୋରୁ ଓ ୨ ଟି ପିକ ଅପ୍ ଭ୍ୟାନ କୁ ଜବତ କରିଥିଲେ। ପାଟପୁର ଥାନା ମାମଲା ନଂ.୨୦୮/୨୬ ଏବଂ ୨୦୯/୨୬ ଅନୁଯାୟୀ ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା।

About The Author