ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ଘଟଣାର ପର୍ଦ୍ଦାଫାସ
ନୂଆପଡ଼ା: ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ଘଟଣାର ପର୍ଦ୍ଦାଫାସ କରିଛି ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ଅନ୍ତର୍ଗତ ଦେବଭୋଗ ପୁଲିସ।ଓଡ଼ିଶାରୁ ଛତିଶଗଡ଼କୁ ଯାଉଥିବା ୩ଟି ପିକଅପ୍ ଗାଡ଼ିରୁ ୧୯୨ ବସ୍ତା ଧାନ ଜବତ କରାଯାଇଛି। ଏଥିସହ ୩ଟି ଗାଡ଼ିକୁ ମଧ୍ୟ ପୁଲିସ ଜବତ କରିଛି। ଅନ୍ୟ ରାଜ୍ୟର ପୁଲିସ ଓଡ଼ିଶାରୁ ଧାନ ଚାଲାଣ ଧରୁଥିବାବେଳେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗର ନଜରଦାରି କେଉଁଠି ବୋଲି ଏବେ ପ୍ରଶ୍ନ ଉଠିଛି।
ପୁଲିସ ଟିମ୍ ଯାଞ୍ଚ ଆରମ୍ଭ କରିଥିଲା
ଗରିଆବନ୍ଦ ପୁଲିସର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଗତ ୬ ତାରିଖ ରାତି ପ୍ରାୟ ୧୦ଟାରେ ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ ଭାବେ ଧାନ ପରିବହନ ହେଉଥିବା ନେଇ ଦେବଭୋଗ ଥାନା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଭରୁଆମୁଡ଼ା ଗ୍ରାମ ନିକଟରେ ପୁଲିସ ଟିମ୍ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ୩ଟି ମହିନ୍ଦ୍ରା ପିକଅପ୍ ଗାଡ଼ିରେ ଧାନ ପରିବହନ ହେଉଥିବା ଦେଖି ପୁଲିସ ଗାଡ଼ିଗୁଡ଼ିକୁ ଅଟକାଇଥିଲା। ଯାଞ୍ଚ ସମୟରେ ସିଜି ୦୪ ଏଚ୍କ୍ୟୁ ୮୩୯୧ ନମ୍ବର ବିଶିଷ୍ଟ ଗାଡ଼ିରୁ ୭୦ ବସ୍ତା, ସିଜି ୧୦ ଏଏସ୍ ୪୯୫୪ ନମ୍ବର ଗାଡ଼ିରୁ ୬୨ ବସ୍ତା ଏବଂ ସିଜି ୦୭ ବିଭି ୭୬୭୩ ନମ୍ବର ଗାଡ଼ିରୁ ୬୦ ବସ୍ତା ଧାନ ଜବତ ହୋଇଥିଲା। ଏହିପରି ମୋଟ ୧୯୨ ବସ୍ତା ଧାନ ସହ ୩ଟି ପିକଅପ୍ ଗାଡ଼ିକୁ ଦେବଭୋଗ ପୁଲିସ ଜବତ କରିଛି।
ଧାନର ପରିବହନ ଓ ମାଲିକାନା ସମ୍ପର୍କରେ ବୈଧ କାଗଜପତ୍ର ଦାଖଲ କରିବାକୁ ଗାଡ଼ି ଚାଳକମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୯୪ ଅନୁଯାୟୀ ନୋଟିସ୍ ଦିଆଯାଇଥିଲା। ମାତ୍ର ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇପାରି ନଥିଲେ। ଫଳରେ ଧାନ ସହ ଗାଡ଼ିଗୁଡ଼ିକୁ ଜବତ କରି ଥାନାରେ ରଖାଯାଇଛି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେବଭୋଗ ଅନୁବିଭାଗୀୟ ଅଧିକାରୀ (ରାଜସ୍ୱ)ଙ୍କ ନିକଟକୁ ରିପୋର୍ଟ ପଠାଯାଇଛି।
ତେବେ ଏହି ଘଟଣା ନୂଆପଡ଼ା ଜିଲ୍ଲାର ଧାନ ପରିବହନ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଠିଆ କରିଛି। ଓଡ଼ିଶାରୁ ଧାନ ବୋଝେଇ ଗାଡ଼ି ବାହାରି ଅନ୍ୟ ରାଜ୍ୟର ସୀମାରେ ପହଞ୍ଚୁଛି। ହେଲେ ଏହା ଉପରେ ନୂଆପଡ଼ା ପ୍ରଶାସନର ନଜର ପଡ଼ୁନାହିଁ କାହିଁକି? ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥା ରହିଛି ନା କେବଳ କାଗଜପତ୍ରରେ ସୀମିତ ରହିଛି? ଯୋଗାଣ ବିଭାଗର ଅଧିକାରୀମାନେ ଏଭଳି ଚାଲାଣ ସମ୍ପର୍କରେ ଅବଗତ ଅଛନ୍ତି କି? ଯଦି ଅବଗତ ଅଛନ୍ତି, ତେବେ ଏଯାଏଁ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ?
ପ୍ରଶାସନ ହାଲୁକା ଭାବେ ନେବା ଉଚିତ ନୁହେଁ
ବିଶେଷକରି ଧାନ ସଂଗ୍ରହ ବ୍ୟବସ୍ଥା ଓ ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏଭଳି ଘଟଣାକୁ ପ୍ରଶାସନ ହାଲୁକା ଭାବେ ନେବା ଉଚିତ ନୁହେଁ। ଜିଲ୍ଲାରେ ଧାନ ଉତ୍ପାଦନ ଓ ବଜାର କାରବାର ଉପରେ ନଜର ରଖିବା ସହ ସୀମାନ୍ତ ରାସ୍ତାରେ ଯାଞ୍ଚକୁ କଡ଼ାକଡ଼ି କରିବା ଆବଶ୍ୟକ। ଜବତ ହୋଇଥିବା ଧାନ କେଉଁ ଅଞ୍ଚଳରୁ ଆସିଥିଲା, ଏହା କାହାର ଥିଲା ଏବଂ କେଉଁ ବ୍ୟବସାୟୀଙ୍କ ମାଧ୍ୟମରେ ଚାଲାଣ ହେଉଥିଲା, ସେ ସମ୍ପର୍କରେ ତଦନ୍ତ ହେବା ଜରୁରୀ।
ଅନ୍ୟ ରାଜ୍ୟର ପୁଲିସ ଓଡ଼ିଶାରୁ ଯାଉଥିବା ଧାନ ଜବତ କରୁଥିବାବେଳେ ନୂଆପଡ଼ା ପ୍ରଶାସନ କେବଳ ନିରବଦ୍ରଷ୍ଟା ସାଜିବା କେତେଦୂର ଯୁକ୍ତିଯୁକ୍ତ? ଧାନ ଚାଲାଣ ରୋକିବା ଓ ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରଶାସନ କେବେ ତତ୍ପର ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଅଧିକ ତଥ୍ୟ ସଂଗ୍ରହ କରାଯାଉଛି
ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ହୃଷୀକେଶ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସୀମାନ୍ତ ବ୍ଲକ୍ର ଯୋଗାଣ ଅଧିକାରୀମାନଙ୍କୁ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ସେ କହିଛନ୍ତି।
