November 11, 2026

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଓ ପୋଲିଂ ବୁଥ୍ ପୁନର୍ବିନ୍ୟାସ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

WhatsApp Image 2026-11-10 at 10.52.35 PM

ଯାଜପୁର: ୧୦ ନଭେମ୍ବର ୨୦୨୬: ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SSR) – ୨୦୨୭ ଏବଂ ପୋଲିଂ ଷ୍ଟେସନଗୁଡ଼ିକର ପୁନର୍ବିନ୍ୟାସ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଏବଂ ଜିଲ୍ଲାର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏହି ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ପାଇଁ ପ୍ରମୁଖ ତାରିଖଗୁଡ଼ିକୁ ବିସ୍ତୃତ ଭାବରେ ପ୍ରକାଶ କରାଯାଇଛି:

୧ ଜାନୁଆରୀ ୨୦୨୭ (ଯୋଗ୍ୟତା ତାରିଖ): ୦୧.୦୧.୨୦୨୭ ସୁଦ୍ଧା ଯେଉଁ ନାଗରିକମାନଙ୍କର ବୟସ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବ, ସେମାନେ ନୂତନ ଭୋଟର ଭାବରେ ନାମ ପଞ୍ଜୀକରଣ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ।

୨୦ ନଭେମ୍ବର ୨୦୨୬ (ପୋଲିଂ ଷ୍ଟେସନ ପୁନର୍ବିନ୍ୟାସ): ପୋଲିଂ ଷ୍ଟେସନଗୁଡ଼ିକର ପୁନର୍ବିନ୍ୟାସ ଓ ସଜଡ଼ା କାର୍ଯ୍ୟ ୨୦.୧୧.୨୦୨୬ ସୁଦ୍ଧା ଶେଷ କରାଯିବ।

୩୦ ନଭେମ୍ବର ୨୦୨୬ (ଖସଡ଼ା ଭୋଟର ତାଲିକା ପ୍ରକାଶ): ଏକତ୍ରିତ ଚିଠା (ଡ୍ରାଫ୍ଟ) ଭୋଟର ତାଲିକା ୩୦.୧୧.୨୦୨୬ ରିଖରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ।

୩୦ ନଭେମ୍ବର ୨୦୨୬ ରୁ ୩୦ ଡିସେମ୍ବର ୨୦୨୬ (ଆପତ୍ତି ଓ ଅଭିଯୋଗ ଦାଖଲ): ନାମ ଯୋଗ, ବିୟୋଗ କିମ୍ବା ତ୍ରୁଟି ସଂଶୋଧନ ପାଇଁ ୩୦.୧୧.୨୦୨୬ ରୁ ୩୦.ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ନାଗରିକମାନେ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ।

୧୬ ଜାନୁଆରୀ ୨୦୨୭ (ଅଭିଯୋଗର ଫଇସଲା): ଗ୍ରହଣ କରାଯାଇଥିବା ସମସ୍ତ ଆପତ୍ତି ଓ ଅଭିଯୋଗଗୁଡ଼ିକର ଯାଞ୍ଚ ଏବଂ ଫଇସଲା ୧୬.୦୧.୨୦୨୭ ସୁଦ୍ଧା ଶେଷ କରାଯିବ।

୨୧ ଜାନୁଆରୀ ୨୦୨୭ (ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ): ସମସ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ୨୧.୦୧.୨୦୨୭ ରିଖରେ ପ୍ରକାଶ ପାଇବ।

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ବିଏଲଓ (BLO) ମାନେ ରାଜନୈତିକ ଦଳର ବିଏଲଏ (BLA) ମାନଙ୍କ ସହ ମିଶି ଡ୍ରାଫ୍ଟ ଭୋଟର ତାଲିକାର ଯାଞ୍ଚ କରିବେ। ଗୋଟିଏ ବୁଥ୍‌ରେ ୧୨୦୦ ରୁ ଅଧିକ ଭୋଟର ଥିଲେ ନୂତନ ପୋଲିଂ ଷ୍ଟେସନ ଗଠନ କରାଯିବ। ଏହା ସହିତ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଯେପରି ଗୋଟିଏ ସେକ୍ସନ ଓ ଗୋଟିଏ ବୁଥ୍‌ରେ ରହିବ, ତାହା ସୁନିଶ୍ଚିତ କରାଯିବ। ଭୋଟର ଆବେଦନ ଫର୍ମରେ ସ୍ୱେଚ୍ଛାକୃତ ଭାବେ ଆଧାର ନମ୍ବର ଦେଇପାରିବେ, ତେବେ ଆଧାର ନମ୍ବର ନଥିଲେ କାହାରି ନାମ ତାଲିକାରୁ ବାଦ୍ ଦିଆଯିବ ନାହିଁ।

About The Author