ଭାରତୀୟ ଇସଲାମିକ ବିଦ୍ୱାନଙ୍କୁ ବିଶ୍ୱ ମାନ୍ୟତାର ଆବଶ୍ୟକତା ନାହିଁ
ଭାରତରେ ଇସଲାମିକ ବିଦ୍ୱାନଙ୍କର କେବେ ଅଭାବ ରହି ନାହିଁ । ଉତ୍ତର ପ୍ରଦେଶର ମାଦ୍ରାସାଗୁଡ଼ିକରୁ ଆରମ୍ଭ କରି ହାଇଦ୍ରାବାଦର ପ୍ରାଚୀନ ପାଠାଗାର ଓ ଗବେଷଣା କେନ୍ଦ୍ର ପର୍ଯ୍ୟନ୍ତ, ଭାରତରେ ଇସଲାମିକ ଶିକ୍ଷା, ଗବେଷଣା ଓ ଧାର୍ମିକ ପାଣ୍ଡିତ୍ୟର ଏକ ସମୃଦ୍ଧ ଏବଂ ଗୌରବମୟ ପରମ୍ପରା ରହି ଆସିଛି । ପିଢ଼ି ପରେ ପିଢ଼ି ଭାରତୀୟ ଇସଲାମିକ ବିଦ୍ୱାନମାନେ କୁରାନ ଓ ହାଦିସର ଗଭୀର ଅଧ୍ୟୟନ, ମୂଲ୍ୟବାନ ଗ୍ରନ୍ଥ ରଚନା ଏବଂ ଜ୍ଞାନର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି । ସେମାନଙ୍କର ଅନେକ ଗବେଷଣା ଓ ରଚନା କେବଳ ଭାରତରେ ନୁହେଁ, ବରଂ ଆରବ ଜଗତ ସମେତ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ଆଦୃତ ଓ ଅଧ୍ୟୟନର ବିଷୟ ହୋଇଛି । ଏହା ସତ୍ତ୍ୱେ ଏକ ମୌଳିକ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯେତେବେଳେ ଆମ ପାଖରେ ନିଜସ୍ୱ ଜ୍ଞାନ, ପାଣ୍ଡିତ୍ୟ ଓ ଐତିହାସିକ ଅବଦାନର ଏତେ ଦୃଢ଼ ଭିତ୍ତି ରହିଛି, ସେତେବେଳେ ଇସଲାମିକ ବିଦ୍ୱତାର ସ୍ୱୀକୃତି ଓ ପ୍ରାମାଣିକତା ପାଇଁ ଆମକୁ ବାରମ୍ବାର ବିଦେଶୀ ମଞ୍ଚ କିମ୍ବା ସଂସ୍ଥାଗୁଡ଼ିକ ଆଡ଼କୁ କାହିଁକି ଚାହିଁବାକୁ ପଡ଼ୁଛି ?
ମଦିନାରେ ମୌଲାନା ଶାମାଇଲ୍ ନଦୱିଙ୍କ ପାକିସ୍ତାନୀ ଧାର୍ମିକ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତକୁ ନେଇ ସାମ୍ପ୍ରତିକ ସମୟରେ ଉଠିଥିବା ଆଲୋଚନା ଏହି ପ୍ରଶ୍ନକୁ ଆହୁରି ପ୍ରାସଙ୍ଗିକ କରିଛି । ନିଶ୍ଚିତ ଭାବେ, ବିଦ୍ୱାନମାନଙ୍କ ମଧ୍ୟରେ ସାକ୍ଷାତ, ଆଲୋଚନା ଓ ଜ୍ଞାନର ଆଦାନପ୍ରଦାନ ଏକ ସ୍ୱାଭାବିକ ପ୍ରକ୍ରିୟା । ଏଥିରେ ସେମାନଙ୍କ ଜାତୀୟତା ବା ଦେଶର ସୀମା ପ୍ରତିବନ୍ଧକ ହେବା ଉଚିତ ନୁହେଁ । ତଥାପି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେ ଯେ ଜଣେ ଭାରତୀୟ ଇସଲାମିକ ବିଦ୍ୱାନଙ୍କ ଧାର୍ମିକ ପାଣ୍ଡିତ୍ୟ ଓ ପ୍ରାମାଣିକତା ନିର୍ଦ୍ଧାରଣ କରିବାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି କାହିଁକି ଆବଶ୍ୟକ ହେବ । ବିଦେଶରେ କୌଣସି ସାକ୍ଷାତ ବା ସ୍ୱୀକୃତି ଭାରତର ନିଜସ୍ୱ ଇସଲାମିକ ବିଦ୍ୱତା, ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବଂ ଶତାବ୍ଦୀ ପୁରୁଣା ଜ୍ଞାନ ପରମ୍ପରାର ଗୁରୁତ୍ୱକୁ କୌଣସି ଭାବେ ହ୍ରାସ କରିପାରିବ ନାହିଁ ।
ଉତ୍ତର ପ୍ରଦେଶର ମୌଲାନା ସଫିଉର ରହମାନ ମୁବାରକପୁରୀ ଏହାର ଏକ ଉଦାହରଣ । ତାଙ୍କ ରଚିତ ଅ-ର୍ରହୀକୁଲ୍ ମଖତୁମ୍ ପ୍ରଫେଟ୍ ମହମ୍ମଦଙ୍କ ଜୀବନୀ ସମ୍ପର୍କିତ ଏକ ପ୍ରସିଦ୍ଧ ବହି, ଯାହା ବିଶ୍ୱର ବିଭିନ୍ନ ଦେଶର ମୁସଲମାନମାନଙ୍କ ମଧ୍ୟରେ ବ୍ୟାପକ ଭାବେ ପଠିତ ହୋଇଛି । ତାଙ୍କର ସଫଳତା ଏକ ସ୍ପଷ୍ଟ ବାର୍ତ୍ତା ଦିଏ ଯେ ଜଣେ ଭାରତୀୟ ବିଦ୍ୱାନଙ୍କ କୃତି ନିଜର ଗୁଣ, ଗବେଷଣା ଓ ପ୍ରାମାଣିକତା ବଳରେ ବିଶ୍ୱସ୍ତରରେ ସମ୍ମାନ ଅର୍ଜନ କରିପାରେ । ଏହିପରି, ମକ୍କାରେ ନିଜର ପାଣ୍ଡିତ୍ୟ ଓ ଶିକ୍ଷାଦାନ ପାଇଁ ପରିଚିତ ଶେଖ୍ ୱାସିଉଲ୍ଲାହ ଆବାସୀଙ୍କ ଉଦାହରଣ ମଧ୍ୟ ମନେପକାଇଦିଏ ଯେ ଭାରତୀୟ ଇସଲାମିକ ବିଦ୍ୱାନମାନେ ନିଜ ଜନ୍ମଭୂମିର ସୀମା ଅତିକ୍ରମ କରି ବିଶ୍ୱରେ ନିଜର ପରିଚୟ ଓ ସମ୍ମାନ ଅର୍ଜନ କରିଛନ୍ତି ।
ଏହି ଉଦାହରଣଗୁଡ଼ିକର ଗୁରୁତ୍ୱ ଏଥିରେ ନିହିତ ଯେ, ସେମାନେ ଏହି ଧାରଣାକୁ ଦୃଢ଼ ଭାବେ ଖଣ୍ଡନ କରନ୍ତି ଯେ ଧାର୍ମିକ ପାଣ୍ଡିତ୍ୟର ମୂଲ୍ୟ ଓ ମର୍ଯ୍ୟାଦା କେବଳ କୌଣସି ବିଦେଶୀ ଅନୁଷ୍ଠାନ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ବୃଦ୍ଧି ପାଏ । ଜ୍ଞାନର କୌଣସି ଜାତୀୟ ସୀମା ନାହିଁ, କିନ୍ତୁ ଜଣେ ବିଦ୍ୱାନଙ୍କ ନିଜସ୍ୱ ଶୈକ୍ଷିକ ପରମ୍ପରା ଓ ଐତିହ୍ୟକୁ ଅଣଦେଖା କରିବା ମଧ୍ୟ ଉଚିତ ନୁହେଁ । ଭାରତୀୟ ବିଦ୍ୱାନମାନେ ପିଢ଼ି ପରେ ପିଢ଼ି ହାଦିସର ସଂରକ୍ଷଣ, ଅଧ୍ୟୟନ, ପ୍ରସାରଣ ଓ ପ୍ରଚାରରେ ଅମୂଲ୍ୟ ଅବଦାନ ରଖିଆସିଛନ୍ତି । ଦେଶର ବିଭିନ୍ନ ମଦ୍ରାସା, ପାଠାଗାର ଓ ପାଣ୍ଡୁଲିପି ସଂଗ୍ରହାଳୟରେ ଏପରି ଅସଂଖ୍ୟ ଧାର୍ମିକ ଗ୍ରନ୍ଥ ଓ ଦୁର୍ଲଭ ପାଣ୍ଡୁଲିପି ସଂରକ୍ଷିତ ରହିଛି, ଯାହା ବିଦ୍ୱାନ ମହଲରୁ ଆରମ୍ଭ କରି ସାଧାରଣ ସମାଜ ପର୍ଯ୍ୟନ୍ତ ଅଧିକ ଧ୍ୟାନ ଓ ଅଧ୍ୟୟନର ଦାବି ରଖେ ।
ଏହି ସଂଗ୍ରହଗୁଡ଼ିକ କେବଳ ଅତୀତର ସ୍ମୃତି ବା ନିଦର୍ଶନ ନୁହେଁ, ବରଂ ଆମର ପୂର୍ବପୁରୁଷ ବିଦ୍ୱାନମାନଙ୍କ ଗଭୀର ଅଧ୍ୟୟନ, ଗବେଷଣା ଓ ବୌଦ୍ଧିକ ସାଧନାର ଜୀବନ୍ତ ଦଲିଲ । ଏହା ଆମକୁ ସ୍ମରଣ କରାଇଦିଏ ଯେ ଇସଲାମିକ ଶିକ୍ଷା ଓ ଜ୍ଞାନଚର୍ଚ୍ଚା କ୍ଷେତ୍ରରେ ଭାରତର ଅବଦାନ ଏକ ସୁଦୃଢ଼ ଐତିହାସିକ ବାସ୍ତବତା, ଯାହାକୁ ପ୍ରତ୍ୟେକ ଥର କୌଣସି ଭାରତୀୟ ବିଦ୍ୱାନ ବିଦେଶରେ ସ୍ୱୀକୃତି ଅର୍ଜନ କଲେ ନୂଆ କରି ପ୍ରମାଣ କରିବାର ଆବଶ୍ୟକତା ନାହିଁ । ଏହି ଅବଦାନ ଆମ ଇତିହାସ, ଆମ ପରମ୍ପରା ଓ ଆମର ବୌଦ୍ଧିକ ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ ।
ତେଣୁ ମୂଳ ପ୍ରସଙ୍ଗ ମଦିନା କିମ୍ବା ଅନ୍ୟ କୌଣସି ସ୍ଥାନରେ ଜଣେ ପାକିସ୍ତାନୀ ବିଦ୍ୱାନଙ୍କ ସହ ସାକ୍ଷାତ କରିବା ନୁହେଁ । ପ୍ରକୃତ ଚିନ୍ତାର ବିଷୟ ହେଉଛି ସେହି ମାନସିକତା, ଯାହା କେତେକ ସମୟରେ ବିଦେଶୀ ଧାର୍ମିକ ବ୍ୟକ୍ତିଙ୍କୁ ଅତ୍ୟଧିକ ଗୁରୁତ୍ୱ ଓ ଉଚ୍ଚ ମର୍ଯ୍ୟାଦା ପ୍ରଦାନ କରିଥାଏ, କିନ୍ତୁ ଭାରତର ନିଜସ୍ୱ ଶିକ୍ଷାନୁଷ୍ଠାନ ଓ ବୌଦ୍ଧିକ ପରମ୍ପରାରୁ ଉଭା ହୋଇଥିବା ବିଦ୍ୱାନମାନଙ୍କ ଅବଦାନକୁ ଅଣଦେଖା କରିଥାଏ । ଯଦିଓ ଏପରି ମାନସିକତା ଉଗ୍ରବାଦ କିମ୍ବା ଅବିଶ୍ୱାସକୁ ଜନ୍ମ ଦେଇନଥାଏ, ଏହାର ନକାରାତ୍ମକ ପରିଣାମ ସେତେବେଳେ ସ୍ପଷ୍ଟ ହୁଏ ଯେତେବେଳେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତ୍ୟାଖ୍ୟାନ କରେ କିମ୍ବା ରାଜନୈତିକ ଓ ଧାର୍ମିକ ଧ୍ରୁବୀକରଣକୁ ପ୍ରୋତ୍ସାହିତ କରେ । ଧାର୍ମିକ ପାଣ୍ଡିତ୍ୟର ପ୍ରକୃତ ମାପଦଣ୍ଡ ଭୌଗୋଳିକ ପରିଚୟ ବା ବାହ୍ୟ ସ୍ୱୀକୃତି ନୁହେଁ, ବରଂ ଜ୍ଞାନର ଗଭୀରତା, ଚିନ୍ତାର ଉଦାରତା ଓ ସମାଜ ପ୍ରତି ତାହାର ସକାରାତ୍ମକ ଅବଦାନ ହେବା ଉଚିତ ।
ଭାରତ ଏକ ସାମ୍ବିଧାନିକ ଗଣତନ୍ତ୍ର, ଯେଉଁଠି ନାଗରିକତାର ଆଧାର ଧର୍ମ ନୁହେଁ । ଏଠି ଧର୍ମ, ଜାତି କିମ୍ବା ବିଶ୍ୱାସ ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ସମାନ ସାମ୍ବିଧାନିକ ଅଧିକାର ଉପଭୋଗ କରିଥାନ୍ତି । ଯଦି ଆମ ସୀମା ବାହାରେ କୌଣସି ରାଜନୈତିକ ବିଚାରଧାରା ଧାର୍ମିକ ପରିଚୟକୁ ସାମ୍ବିଧାନିକ ଦାୟିତ୍ୱ ଓ ଜାତୀୟ ନାଗରିକତା ଉପରେ ପ୍ରାଧାନ୍ୟ ଦେବାକୁ ଶିକ୍ଷା ଦିଏ, ତେବେ ତାହା ଦେଶର ସାମୂହିକ ନାଗରିକତାବୋଧ ଓ ସାମାଜିକ ଏକତାକୁ ଦୁର୍ବଳ କରିବାର ଆଶଙ୍କା ରହିଛି । ଏପରି ଚିନ୍ତାଧାରା ଏହି ଧାରଣାକୁ ମଧ୍ୟ ପ୍ରୋତ୍ସାହିତ କରିପାରେ ଯେ, ମୁସଲମାନମାନଙ୍କର ନିଜ ଦେଶର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅପେକ୍ଷା ସୀମାପାର ଧାର୍ମିକ କର୍ତ୍ତୃପକ୍ଷଙ୍କ ପ୍ରତି ଅଧିକ ରାଜନୈତିକ କିମ୍ବା ଭାବନାତ୍ମକ ଆନୁଗତ୍ୟ ରହିବା ଉଚିତ । ଏହା ସ୍ୱାଭାବିକ ଭାବେ ଧାର୍ମିକ ଆନୁଗତ୍ୟ ଓ ସାମ୍ବିଧାନିକ ଦାୟିତ୍ୱ ମଧ୍ୟରେ ଏକ ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ । ତେଣୁ ଧାର୍ମିକ ବିଶ୍ୱାସ ଓ ଜାତୀୟ ନାଗରିକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହିତ ସମ୍ବିଧାନ ପ୍ରତି ନିଷ୍ଠା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ସମସ୍ତଙ୍କ ସାମୂହିକ ଦାୟିତ୍ୱ ।
ବିଦେଶୀ ଧାର୍ମିକ ବ୍ୟକ୍ତିତ୍ୱଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତାର ଏକ ସଂକୀର୍ଣ୍ଣ ବ୍ୟାଖ୍ୟା ଏପରି ଧାରଣା ସୃଷ୍ଟି କରିପାରେ ଯେ, କେବଳ ନିଜ ଧାର୍ମିକ ସମ୍ପ୍ରଦାୟର ଲୋକଙ୍କ ସହ ସମ୍ପର୍କ ଯୋଗ କରିବା ଉଚିତ । ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ ଏପରି ମନୋଭାବ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ଗଢ଼ିବାରେ ବାଧା ସୃଷ୍ଟି କରିପାରେ ଏବଂ ଅନାବଶ୍ୟକ ମତଭେଦ ବଢ଼ାଇପାରେ । ଏହା ମଧ୍ୟ ଯୁବ ମୁସଲମାନଙ୍କୁ ଭାରତର ସମନ୍ୱିତ ସଂସ୍କୃତିକୁ ଏବ ସାଧାରଣ ଇତିହାସକୁ ଉପଲବ୍ଧି କରିବାରୁ ବଂଚିତ କରିପାରେ ।
ବେଳେବେଳେ ଆନ୍ତର୍ଜାତୀୟସ୍ତରର ଧାର୍ମିକ କିମ୍ବା ରାଜନୈତିକ ଆନ୍ଦୋଳନଗୁଡିକ ବିଦେଶୀ ପ୍ରଭାବ ବିସ୍ତାର କରିବାର ମାଧ୍ୟମ ପାଲଟିପାରେ । ରାଜନୈତିକ ସଂଗଠନ କିମ୍ବା ବାହ୍ୟ ଶକ୍ତିଗୁଡିକ ଦେଶ ଭିତରର ଆଲୋଚନା ଓ ବିତର୍କକୁ ପ୍ରଭାବିତ କରିବାକୁ, ସମ୍ପ୍ରଦାୟର ନେତୃତ୍ୱକୁ ନିଜ ଇଙ୍ଗିତରେ ଚଳାଇବାକୁ କିମ୍ବା ଏଭଳି ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ ଚେଷ୍ଟା କରିପାରନ୍ତି, ଯାହା ଭାରତୀୟ ନାଗରିକଙ୍କ ସ୍ୱାର୍ଥ ସହ ଜଡିତ ନୁହେଁ । ତେଣୁ ଆଇନ୍ ସମ୍ମତ ଧାର୍ମିକ, ଶିକ୍ଷାଗତ ଏବଂ ଜନକଲ୍ୟାଣକାରୀ କର୍ଯ୍ୟଗୁଡିକୁ ସୁରକ୍ଷା ଦେବା ସହିତ ଭାରତକୁ ରାଜନୈତିକ ପାଣ୍ଠି, ବିଦେଶୀ ଅନୁଦାନ ଏବଂ ବିଭିନ୍ନ ସଂଗଠନର କାର୍ଯ୍ୟକଳାପ କ୍ଷେତ୍ରରେ ସ୍ୱଚ୍ଛତା ଓ ଉତର ଦାୟିତ୍ୱ ନିଶ୍ଚିତ କରିବା ଉଚିତ୍ ।
ଜଣେ ଭାରତୀୟ ବିଦ୍ୱାନଙ୍କ ପ୍ରତିଷ୍ଠା ତାଙ୍କ ଜ୍ଞାନ, ନୈତିକତା ଏବଂ ନିଜ କ୍ଷେତ୍ରରେ ଦେଇଥିବା ଅବଦାନ ଉପରେ ଆଧାରିତ ହେବା ଉଚିତ୍ । ସେ ବିଦେଶରେ କାହା ସହ ଭେଟ କରୁଛନ୍ତି କିମ୍ବା କହାର ସ୍ୱୀକୃତି ପାଉଛନ୍ତି ତାହା ଉପରେ ନୁହେଁ । ଭାରତ ଏପରି ଅନେକ ବିଦ୍ୱାନ ସୃଷ୍ଟି କରିଛି ଯେଉଁମାନଙ୍କ କାର୍ଯ୍ୟ ଦେଶର ସୀମା ଅତିକ୍ରମ କରି ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ଲାଭ କରିଛି । ଆମେ ବ୍ୟପକ ମୁସଲିମ ସମାଜ ସହିତ ଜ୍ଞାନର ଆଦାନ ପ୍ରଦାନକୁ ସ୍ୱାଗତ କରିବା ଉଚିତ୍ । କିନ୍ତୁ ଆମକୁ ଆମର ନିଜସ୍ୱ ଶକ୍ତିର ସ୍ପଷ୍ଟ ବୁଝାମଣା ସହିତ ଏହା କରିବା ଉଚିତ୍ । ଭାରତୀୟ ବିଦ୍ୱାନମାନଙ୍କୁ ବିଦେଶରୁ ବୈାଦ୍ଧିକ ପ୍ରତିଷ୍ଠା ଉଧାର କରିବାକୁ ପଡିବ ନାହିଁ । ସେମାନଙ୍କର ନିଜସ୍ୱ ଏକ ପରମ୍ପରା ଅଛି ଏବଂ ସେହି ପରମ୍ପରା ଏବେ ଉପଯୁକ୍ତ ସ୍ୱୀକୃତି ପାଇବାର ସମୟ ଆସିଛି ।
ଇନସା ୱାରସୀ
ଫ୍ରାଙ୍କଫୋନ ଏଣ୍ଡ ଜର୍ନାଲିଜିମ୍ ଷ୍ଟଡିଜ୍
ଜାମିଆ ମିଲିଆ ଇସଲାମିଆ
