ଧର୍ମଶାଳା ଓ ଦଶରଥପୁର ଇଂରାଜୀ ନାମ ସଂଶୋଧନ ନେଇ ସୂଚନା ଜାରି
ଯାଜପୁର, ୨୭/୦୪/୨୬: ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ଓଡ଼ିଶାର ସମସ୍ତ ସାଂସଦ, ସଚିବଙ୍କ ମାଧ୍ୟମରେ ସମସ୍ତ ବିଧାୟକ ଓ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଏହି ଚିଠି ଅନୁଯାୟୀ ଯାଜପୁର ଜିଲ୍ଲାର ଦଶରଥପୁର ଓ ଧର୍ମଶାଳାର ଇଂରାଜୀ ନାମ ସଂଶୋଧନ କରାଯାଇଛି। ପୂର୍ବରୁ ଏ ସମ୍ପର୍କରେ ପ୍ରସ୍ତାବ ସଂଗ୍ରହ କରାଯାଇଥିଲା। ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ୱାରା ସମସ୍ତ ପ୍ରସ୍ତାବକୁ ସମୀକ୍ଷା କରାଯାଇଥିଲା। କମିଟି ସୁପାରିସ କରିଥିବା ପ୍ରସ୍ତାବଗୁଡିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ୱାନ କରାଯାଇଛି। ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଜନପ୍ରତିନିଧି ଓ ଜନସାଧାରଣ ସେମାନଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ଏପ୍ରିଲ ୨୨ ଠାରୁ ଏକ ମାସ ମଧ୍ୟରେ ଚିଠି କିମ୍ବା ରାଜସ୍ବ ବିଭାଗର ଇମେଲ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରାଯାଇଛି।
