ପରିତ୍ୟକ୍ତ କୂଅରୁ ଏକ ଷଣ୍ଢକୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର

WhatsApp Image 2026-05-09 at 8.49.05 PM

ନଠୁଆବର: ଯାଜପୁରଜିଲ୍ଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ସ୍ଥିତ ରାଧାକୃଷ୍ଣ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଷଣ୍ଢକୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ମନ୍ଦିର ନିକଟରେ ଏକ ଷଣ୍ଢ ବୁଲୁଥିବାବେଳେ ଅସାବଧାନତାବଶତଃ ଖୋଲା କୂଅରେ ଖସି ପଡ଼ିଥିଲା। ଷଣ୍ଢର ଚିତ୍କାର ଶୁଣି ସ୍ଥାନୀୟ ଲୋକେ କୂଅ ପାଖକୁ ଯାଇ ଦେଖିବାରୁ ଷଣ୍ଢଟି ପାଣିରେ ପଡ଼ି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲା।

ତୁରନ୍ତ ଗ୍ରାମବାସୀ କୁଆଖିଆ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ଦଉଡ଼ି ଓ ବେଲ୍ଟ ସାହାଯ୍ୟରେ ଷଣ୍ଢକୁ ସୁରକ୍ଷିତ ଭାବେ କୂଅରୁ ବାହାର କରିଥିଲେ।

ଉଦ୍ଧାର ପରେ ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ଷଣ୍ଢର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେ ସୁସ୍ଥ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀଙ୍କ ଏଭଳି ତ୍ୱରିତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଗାଁରେ ଥିବା ପରିତ୍ୟକ୍ତ କୂଅଗୁଡିକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

About The Author