ଇଥାନଲ୍ ମିଶ୍ରଣ ବର୍ତ୍ତମାନ ଏକ ପରୀକ୍ଷାମୂଳକ ପର୍ଯ୍ୟାୟରେ

petrol f

ନୂଆଦିଲ୍ଲୀ: ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ପ୍ରକ୍ରିୟାକୁ ନେଇ ଦେଶରେ ଦେଖାଦେଇଥିବା ବିଭିନ୍ନ ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି। ସରକାର କହିଛନ୍ତି ଯେ ଏହି ଇଥାନଲ୍ ମିଶ୍ରଣ ବର୍ତ୍ତମାନ ଏକ ପରୀକ୍ଷାମୂଳକ ପର୍ଯ୍ୟାୟରେ ଅଛି ଏବଂ ଏହାର ଚୂଡ଼ାନ୍ତ ଫଳାଫଳ ଆସନ୍ତା ବର୍ଷ ସୁଦ୍ଧା ସ୍ପଷ୍ଟ ହୋଇଯିବ। ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌) ପକ୍ଷରୁ ଦାୟର ହୋଇଥିବା ଏକ ଆବେଦନର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର. ଭେଙ୍କଟରମଣୀ ଏହି ସୂଚନା ଦେଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟଙ୍କ ଏକ ନିର୍ଦେଶକୁ ଚ୍ୟାଲେଞ୍ଜ କରି ବିପିସିଏଲ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା, ଯେଉଁଥିରେ ଏକ ବିଶୋଧନାଗାର ପାଇଁ ଇଥାନଲ୍ ଆବଣ୍ଟନ ପୁନଃ ବିଚାର କରିବାକୁ ଓଏମସିଗୁଡ଼ିକୁ କୁହାଯାଇଥିଲା।

ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣର ମୂଲ୍ୟାଙ୍କନ ଚାଲିଛି। ଗାଡ଼ିଗୁଡ଼ିକ ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ କିପରି ରହୁଛି, ତାହା ଆସନ୍ତା ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। ଆଟର୍ଣ୍ଣି ଜେନେରାଲ୍ ଯୁକ୍ତି ଦର୍ଶାଇଥିଲେ ଯେ ୨୦୨୫ ଅକ୍ଟୋବରରେ ହିଁ ଇଥାନଲ୍ ଯୋଗାଣ ଚୁକ୍ତି ଚୂଡ଼ାନ୍ତ ସରିଛି। ଯଦି ଏହି ସମୟରେ କୋର୍ଟଙ୍କ ନିର୍ଦେଶକ୍ରମେ ଆବଣ୍ଟନ ପ୍ରକ୍ରିୟାକୁ ପୁଣିଥରେ ଖୋଲାଯାଏ, ତେବେ ଏହା ସରକାରଙ୍କ ଜାତୀୟ ନୀତିକୁ କ୍ଷତି ପହଞ୍ଚାଇବ। ସୁପ୍ରିମକୋର୍ଟ ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦେଶ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ବଜାରକୁ ଇଥାନଲ୍ ମିଶ୍ରଣ ପେଟ୍ରୋଲ୍ ଆସିବା ପରେ ଅନେକ ଗାଡ଼ି ଚାଳକ ଆଶଙ୍କା ପ୍ରକଟ କରିଛନ୍ତି ଯେ ଏହା ଦ୍ୱାରା ପୁରୁଣା ଗାଡ଼ିର ଇଞ୍ଜିନ୍ ଖରାପ ହୋଇପାରେ ଏବଂ ମାଇଲେଜ୍ କମିଯାଇପାରେ। ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଇଥାନଲ୍ ମିଶ୍ରିତ ଇନ୍ଧନ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଗ୍ରାହକ-ଉପଯୋଗୀ। ଏହା ଦ୍ୱାରା ଗାଡ଼ି ଇଞ୍ଜିନ୍ ଖରାପ ହେବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇଛି, ଯାହାଫଳରେ ଭାରତର ପ୍ରାୟ ୧.୪ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇଛି। ପେଟ୍ରୋଲରେ ଇଥାନଲ୍ ମିଶିବା ଦ୍ୱାରା ଗାଡ଼ିରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ପରିମାଣ କମିଥାଏ। ଆଖୁ ଏବଂ ଶସ୍ୟରୁ ଇଥାନଲ୍ ପ୍ରସ୍ତୁତ ହେଉଥିବାରୁ ଏହା ଦେଶର କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେଉଛି। ଭାରତ ସରକାର ଧାର୍ଯ୍ୟ ସମୟର ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ହାସଲ କରିସାରିଛନ୍ତି ଏବଂ ୨୦୩୦ ସୁଦ୍ଧା ଏହାକୁ ୩୦% କରିବାକୁ ଲକ୍ଷ୍ୟ ରଖିଛନ୍ତି।

About The Author