ପ୍ରାୟ ୫ବର୍ଷ ଧରି ପ୍ରେମ ସଂପର୍କ ,ଚାପ ପକାଇବାରୁ ପ୍ରେମିକ ଫେରାର୍
ବରୀ: ପ୍ରାୟ ୫ବର୍ଷ ଧରି ପ୍ରେମ ସଂପର୍କ ପରେ ଗତ ୨ମାସ ଧରି ସ୍ବାମୀ ସ୍ତ୍ରୀ ଭାବେ ଜୀବନ ବିତାଉଥିଲେ। ଏହାପରେ ପୀଡ଼ିତା ବିବାହ ପାଇଁ ଚାପ ପକାଇବାରୁ ପ୍ରେମିକ ଫେରାର୍ ହୋଇଯାଇଛି। ଏନେଇ ପୀଡ଼ିତା ଥାନାର ଦ୍ବାରସ୍ଥହୋଇଥିଲେ ମଧ୍ୟ ପୁଲିସ ପଦକ୍ଷେପ ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଘଟଣାଟି ବରୀଥାନା ଅଧୀନ ବାଇଁଶିରିଆ ପଞ୍ଚାୟତରେ ଘଟିଛି।
ଅଭିଯୋଗ ଅନୁସାରେ, ବାଲିଆପାଳ ଗ୍ରାମର ଅଜୟ କୁମାର ସାହୁଙ୍କ ପୁତ୍ର ସିର୍ଦ୍ଧାଥ କୁମାର ସାହ ଓରଫ ସିଦ୍ଧୁ (୩୦ ବର୍ଷ) ଓ ସେହି ଗ୍ରାମରେ ଜଣେ ଦଳିତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏହା ନିବିଡ଼ ହେବା ପେରେ ଗତ ୨ ମାସ ପୂର୍ବେ ପୀଡ଼ିତାଙ୍କୁ ନେଇ ସିଦ୍ଧୁ ଭୁବନେଶ୍ବରରେ ଥିବା ନିଜ ଭାଇ-ଭାଉଜଙ୍କ ଘରକୁ ନେଇଥିଲା। ସେଠାରେ ଉଭୟରେ ପତିପତ୍ନୀ ଭଳି ରହୁଥିଲେ। ଏଇ ଅଳ୍ପଦିନ ପୂର୍ବେ ସିଦ୍ଧୁ ତାଙ୍କୁ ପୁଣି ଆଣି ଯାଜପୁରରେ ରଖିଥିଲେ। ଏହା ମଧ୍ୟରେ ଯୁବତୀଜଣକ ବିବାହ ପାଇଁ ଚାପ ପକାଉଥିଲେ।
ଜୁନ୍ ୨୮ରେ ପୀଡ଼ିତା ଯୁବତୀ ଜଣଙ୍କୁ ସିଦ୍ଧୁଙ୍କ ଘରପାଖକୁ ଆସି ଡାକିଥିଲେ। ଏଥିରେ ସିଦ୍ଧୁ ଉତ୍କ୍ଷିପ୍ତ ହୋଇ ପୀଡ଼ିତାଙ୍କ ଜାତିକୁ ନେଇ ଗାଳିଗୁଲଜ କରିବା ସହ ପିଟିଥିଲେ। ସେହି ଦିନ ଯୁବତୀ ଜଣଙ୍କ ନିଜ ମା’ଙ୍କୁ ନେଇ ବରୀଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଏଫ୍ଆଇଆର୍ ହୋଇଛି ଏବଂ ଏହା ମଧ୍ୟରେ ୧୦ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନାହିଁ। ପୁଲିସ କହିଛି, ତଦନ୍ତ ଚାଲିଛି ଓ ସିଦ୍ଧୁ ଫେରାର୍ହୋଇଯାଇଛି।
