ଓଡ଼ିଶାର ଦୁଇ ପ୍ରମୁଖ ଡାକ୍ତରଖାନାର ଉନ୍ନତିକରଣ
ଭୁବନେଶ୍ବର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ଦୁଇ ପ୍ରମୁଖ ଡାକ୍ତରଖାନାର ଉନ୍ନତିକରଣ ଲାଗି ନିଜ ସାଂସଦ ପାଣ୍ଠିରୁ ୩ କୋଟି ୧୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ସୁପାରିସ କରିଛନ୍ତି। ଏହି ଅର୍ଥ ଚିକିତ୍ସା ଭିତ୍ତିଭୂମି ଉନ୍ନତୀକରଣ ଲାଗି ବିନିଯୋଗ କରାଯିବ। କେନ୍ଦ୍ର ମନ୍ତ୍ରୀଙ୍କ ସାଂସଦ ପାଣ୍ଠିରୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ୧ କୋଟି ୪୦ ଲକ୍ଷ ଟଙ୍କା ଏବଂ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧ କୋଟି ୭୦ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ।
ଉତ୍ତର ଉପକୂଳ ଓଡ଼ିଶାର ଅନ୍ୟତମ ପ୍ରମୁଖ ଜିଲ୍ଲା ବାଲେଶ୍ୱରର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ, ୨୩ ଲକ୍ଷରୁ ଅଧିକ ହୋଇଥିବା ବେଳେ କେବଳ ବାଲେଶ୍ୱର ସହରରେ ୧ ଲକ୍ଷ ୭୪ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହରର ଅନ୍ୟତମ ପ୍ରମୁଖ ସରକାରୀ ଡାକ୍ତରଖାନା ହୋଇଥିବାରୁ ଲକ୍ଷଲକ୍ଷ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥା’ନ୍ତି। ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ଅର୍ଥରେ ଭେଷଜ ବ୍ଲକ, ଔଷଧ ଭଣ୍ଡାରଣ ଗୃହ, ମାତୃ ଓ ଶିଶୁ କମ୍ପ୍ଲେକ୍ସ, ଆପାତକାଳୀନ ବିଭାଗ, ଆଣ୍ଟି-ରେଟ୍ରୋଭାଇରାଲ ଥେରାପି କେନ୍ଦ୍ର, ସର୍ଜରୀ ୱାର୍ଡ, ଅପରେସନ ଥିଏଟର ଏବଂ ଜଳପାନ କକ୍ଷର ଉନ୍ନତିକରଣ କରାଯିବ। ସେହିପରି ୫୦ ଲକ୍ଷ ଟଙ୍କା ବ୍ୟୟରେ ରୋଗୀ ବିଶ୍ରାମ କକ୍ଷ ନିର୍ମାଣ କରାଯିବ।
ଅନ୍ୟପକ୍ଷରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଖର୍ଚ୍ଚ ହେବାକୁ ଥିବା ୧ କୋଟି ୪୦ ଲକ୍ଷ ଟଙ୍କାରେ ଆଇପିଡି, ଔଷଧ ଭଣ୍ଡାରଣ ଗୃହ, ରୋଗୀ ବିଶ୍ରାମ କକ୍ଷ, ଆପାତକାଳୀନ ବିଭାଗ, ଜଳପାନ କକ୍ଷ, ସର୍ଜରୀ ୱାର୍ଡ ଓ ଅସ୍ତ୍ରୋପଚାର ଗୃହ, ଏସଡିଏମଓଙ୍କ କାର୍ଯ୍ୟାଳୟ ଏବଂ ଓପିଡି ବ୍ଲକର ଉନ୍ନତିକରଣ କରାଯିବାକୁ ପ୍ରସ୍ତାବ ରହିଛି
