ଏକ ଚଳନ୍ତା ଘରୋଇ ବସ୍ରେ ଜଣେ ୧୬ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଘଟଣା
ନୋଇଡା: ଗତ ଅଗଷ୍ଟ ୪ ତାରିଖରେ, ଗ୍ରେଟର ନୋଇଡା ଅଂଚଳର ଏକ ଚଳନ୍ତା ଘରୋଇ ବସ୍ରେ ଜଣେ ୧୬ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଘଟଣା ସାରା ଦେଶକୁ ଲଜ୍ଜିତ କରିଥିଲା । ଏହି ଜଘଣ୍ୟ କାଣ୍ଡ ପରେ ସଂପୃକ୍ତ ବସ୍ର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ପୋଲିସର ଛାନଭିନ୍ ପରେ ବସ୍ ଓ ଏହାର କର୍ମଚରୀଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ମୁତାବକ ଏହି ବସ୍ଟି ଗତ ଏପ୍ରିଲ ମାସରେ ଫିରୋଜାବାଦରେ ରେଜିଷ୍ଟ୍ରେସନ ହୋଇଥିଲା । ରେଜିଷ୍ଟ୍ରେସନର ମାତ୍ର ୩ ମାସ ମଧ୍ୟରେ ଏହା ୧୨ ଥର ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲା । ଅର୍ଥାତ ଏହି ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ଅନ୍ୟ କର୍ମଚାରୀମାନେ ମୂଳରୁ ହିଁ ଅମାନିଆ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୪ ତାରିଖରେ ଜଣେ ୧୬ ବର୍ଷୀୟା ନାବାଳିକା ନୋଏଡାର ସେକ୍ଟର ୬୩ ଯିବାକୁ ବସ୍ରେ ଚଢିଥିଲେ । ସେତେବେଳେ ବସ୍ରେ ଅନ୍ୟ ଯାତ୍ରୀ ନ ଥିଲେ । ଏହାର ସୁଯୋଗ ନେଇ ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ଝିଅଟକୁ ଗଣଦୁଷ୍କର୍ମ କରି ଦିଲ୍ଲୀର କାଶ୍ମୀର ଗେଟ୍ ନିକଟରେ ଫିଙ୍ଗିଦେଇ ଚାଲି ଯାଇଥିଲେ । ତେବେ ଏ ନେଇ ଝିଅଟି କାଶ୍ମୀର ଗେଟ୍ ଥାନାରେ ଅଭିଯୋଗ ପରେ ବସ୍କୁ ଜବତ କରାଯିବା ସହ ବସ୍ର ଡ୍ରାଇଭର କୁଲଦୀପ(୩୯) ଏବଂ କଣ୍ଡକ୍ଟର ସନ୍ଦୀପ(୨୬)ଙ୍କୁ କାନପୁରରୁ ଗିରଫ କରାଯାଇଥିଲା । ତା ପରେ ବସ୍ର ଗତିବିଧିକୁ ନେଇ ତଦନ୍ତ କରାଯିବା ପରେ ରୋଚକ ତଥ୍ୟମାନ ସମ୍ନାକୁ ଆସିବାରେ ଲାଗିଛି । ଗତ ଏପ୍ରିଲ ୨୮ ତାରିଖରେ ବସ୍ଟି ଫିରୋଜାବାଦରେ ରେଜିଷ୍ଟ୍ରେସନ ହୋଇଥିଲା । ତେବେ ଏହାର ମାତ୍ର ୩ ମାସ ମଧ୍ୟରେ ବସ୍ଟି ଡଜନେ ଟ୍ରଫିକ ନିୟମ ଉଲ୍ଲଂଘନ କରିଥିଲା । ବେଆଇନ ପାର୍କିଂଠାରୁ ଆରମ୍ଭ କରି ଓଭରସ୍ପିଡ୍ ପର୍ଯ୍ୟନ୍ତ ଅନେକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ବସ୍ଟି ବିବାଦୀୟ ହୋଇପଡିଥିଲା । ଶେଷରେ ଏହି ବସ୍ କର୍ମଚାରୀ ଦୁଷ୍କର୍ମ ପରି ଜଘଣ୍ୟ ଅପରାଧ କରିବାକୁ ମଧ୍ୟ ପଛଘୁଂଚା ଦେଇ ନ ଥିଲେ ।
