November 10, 2026

ଆମେରିକାର ଟ୍ୱିନ ଟାୱାର ଆକ୍ରମଣର ମାଷ୍ଟର ମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ଓସାମା-ବିନ୍‌-ଲାଡେନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି

WhatsApp Image 2026-09-14 at 11.07.56 AM

ଆମେରିକା: ଆମେରିକାର ଟ୍ୱିନ ଟାୱାର ଆକ୍ରମଣର ମାଷ୍ଟର ମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ଓସାମା-ବିନ୍‌-ଲାଡେନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଆମେରିକା ଉପରେ ୯/୧୧ ଆକ୍ରମଣ ପୂର୍ବରୁ ଭାରତ ଉପରେ ଆକ୍ରମଣ କରିଥାନ୍ତା ଓସାମା । ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ ୧୯୯୮ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି କ୍ଳିନଟନଙ୍କୁ ଏକଥା ଜଣାଇଥିଲା । ଖାଲି ଭାରତ ନୁହଁ, ଓସାମାର ଟାର୍ଗେଟରେ ପାକିସ୍ତାନ, ଉଗଣ୍ଡା ଏବଂ ନାଇଜେରିଆ ମଧ୍ୟ ଥିଲା । ଓସାମା ତରଫରୁ ଆମେରିକା ଓ ବ୍ରିଟେନ ଉପରେ ଆତଙ୍କି ଆକ୍ରମଣ ଆଶଙ୍କା ଥିଲେ ମଧ୍ୟ ତା’ର ପ୍ରାଥମିକତାରେ ଉପରୋକ୍ତ ଦେଶଗୁଡିକ ଥିଲା । ତେଣୁ କ୍ଲିନ୍‌ଟନ ପ୍ରଶାସନ ସେତେବେଳେ ଏହି ତଥ୍ୟକୁ ଏତେ ଗୁରୁତ୍ୱ ଦେଇ ନ ଥିଲା । ନିକଟରେ ସିଆଇଏର ଏହି ରିପୋର୍ଟ କେତେକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏକଥା ଜଣାପଡ଼ିଛି ।
ଏହି ରିପୋର୍ଟରେ କୁହାଯାଇଛି ୧୯୯୮ ମସିହା ଅଗଷ୍ଟ ୨୮ ତାରିଖରେ ଆମେରିକାର ମିଜାଇଲ୍ ଆକ୍ରମଣରେ ଅଳ୍ପକେ ବର୍ତିଗଲା ପରେ ନିଜର ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଥିଲା ଓସାମା । ପ୍ରାୟ ୬୦ଟି ଦେଶରେ ନିଜର ନେଟୱର୍କ ସ୍ଥାପନ କରିବାରେ ସଫଳ ହୋଇଥିଲା । ଭାରତକୁ ସେ ଏକ ଶତ୍ରୁ ରାଷ୍ଟ୍ର ଭାବେ ଗ୍ରହଣ କରୁଥିଲା । ଯେହେତୁ ଭାରତରେ ଅଧିକ ମାତ୍ରାରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ବସବାସ କରୁଥିଲେ, ତେଣୁ ଭାରତ ଥିଲା ତାର ପ୍ରମୁଖ ଟାର୍ଗେଟ । ଏଥିସହ ଭାରତର ସେତେବେଳେ ଆମେରିକା ଓ ଇସ୍ରାଏଲ ସହ ସଂପର୍କ ନିବିଡ଼ ଥିବାରୁ ଏହା ମଧ୍ୟ ଥିଲା ଓସାମା ଟାର୍ଗେଟର ଆଉ ଏକ କାରଣ । ନିଜ ଯୋଜନା ମୁତାବକ ୧୯୯୮ ମସିହା ଅଗଷ୍ଟ ମାସରେ କେନିଆ ଓ ତାଞ୍ଜାନିଆଠାରେ ଥିବା ଆମେରିକା ଦୂତାବାସ ଉପରେ ଓସାମା ଆତ୍ମଘାତି ଆକ୍ରମଣ ରଚିଥିଲା, ଯେଉଁଥିରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ଯାଇ ଆମେରିକା ଓସାମାକୁ ପରମ ଶତ୍ରୁ ଭାବେ ଗ୍ରହଣ କରି ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା । ଖାଲି ସେତିକି ନୁହେଁ, ଆମେରିକାର ସ୍ୱାର୍ଥ ଥିବା ଅଂଚଳକୁ ମଧ୍ୟ ଧ୍ୱଂସ କରିବାକୁ ଟାର୍ଗେଟ କରିଥିଲା ଓସାମା । ଉତର ଆମେରିକା, ୟୁରୋପ ଏବଂ ପୂର୍ବ ଏସିଆରେ ମଧ୍ୟ ସେ ନିଜ ସଂଗଠନ ଆରମ୍ଭ ନିଜ ଧ୍ୱଂସଲୀଳାର ରୂପରେଖ ଆରମ୍ଭ କରିଦେଇଥିଲା । ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ବିନ୍ ଲାଡେନ କେବଳ ଯେ ଆଫଗାନିସ୍ଥାନରେ ହିଁ ନିଜକୁ ସୀମତ ରଖିଥିଲା, ସେକଥା ନୁହେଁ, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏକାଥରେ ଆକ୍ରମଣ କରିବାକୁ ନିଜର ପ୍ରସ୍ତୁତି ଚଳାଇଥିଲା । ଯଦି ଓସାମାକୁ ସେତବେଳଠୁ ଅକ୍ଷମ କରିଦିଆଯାଇଥିଲା, ତାହେଲେ ହୁଏତ ଏତେବଡ଼ ଆକ୍ରମଣକୁ ଟାଳି ଦିଆଯାଇପାରିଥାନ୍ତା ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

About The Author