ଆଧୁନିକ ସମାଜରେ ଇସଲାମିକ୍ ଜୀବନଶୈଳୀର ବିଶ୍ଳେଷଣ
ଇସଲାମ୍ ଜୀବନର ଏକ ସମ୍ପୂର୍ଣ୍ଣ ସଂହିତା ପରି ଯାହା ମାନବ ଜୀବନର ପ୍ରତ୍ୟେକ ଦିଗ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥାଏ। ଏହା କେବଳ କର୍ମକର୍ମାଣି କିମ୍ବା ଧାର୍ମିକ ପ୍ରାୟୋଗିକ କାର୍ଯ୍ୟଗୁଡ଼ିକରେ ସୀମିତ ନୁହେଁ, ବରଂ ଏହା ବ୍ୟକ୍ତିଗତ ଆଚରଣ, ସାମାଜିକ ସମ୍ପର୍କ, ଅର୍ଥନୈତିକ ବ୍ୟବସ୍ଥା, ନୈତିକତା ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ମଧ୍ୟ ବିସ୍ତାର କରିଥାଏ। ବର୍ତ୍ତମାନର ଆଧୁନିକ ଯୁଗରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଦ୍ରୁତ ଗତିରେ ଅଗ୍ରସର ହେବା ସହିତ ବିଶ୍ୱ ଏକ ଗ୍ଲୋବାଲ୍ ଭିଲେଜ୍ରେ ପରିଣତ ହୋଇଛି, ଯେଉଁଠି ମାନବ ସମାଜ ଅନେକ ସୁବିଧା ଓ ସୁଯୋଗର ଲାଭ ଉଠାଉଛି। ତଥାପି ବର୍ତ୍ତମାନ ସମୟରେ ଲୋକମାନେ ଅଧିକ ମାନସିକ ଚାପ, ନୈତିକ ଅଧୋପତନ ଏବଂ ଆଧ୍ୟାତ୍ମିକ ଶୂନ୍ୟତାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷିରେ ଇସଲାମିକ୍ ଜୀବନଶୈଳୀର ପ୍ରାସଙ୍ଗିକତା ଗୁରୁତ୍ୱ ବହନ କରିଥାଏ।
ବସ୍ତୁବାଦ ହେଉଛି ଆଧୁନିକ ସମାଜର ଏକ ପ୍ରଭାବଶାଳୀ ବିଶେଷତା। ଅନେକ ସମୟରେ ଲୋକମାନେ ସଫଳତାକୁ ସମ୍ପତ୍ତି, ସ୍ଥିତି ଏବଂ ପ୍ରସିଦ୍ଧି ବା ଖ୍ୟାତି ଦୃଷ୍ଟିରୁ ମାପ କରିଥାନ୍ତି। ଏହି ପାର୍ôଥବ ସଫଳତା ପଛରେ ଦୌଡ଼ି ଦୌଡ଼ି ବ୍ୟକ୍ତି ନିଜର ଆଭ୍ୟନ୍ତରୀଣ ଶାନ୍ତି ଓ ନୈତିକ ଆଧାର ହରାଇଥାନ୍ତି। କିନ୍ତୁ ଇସଲାମ୍ ଅନୁସାରେ ପ୍ରକୃତ ସଫଳତା ଈଶ୍ୱରଙ୍କ ସନ୍ତୋଷ, ନୈତିକ ପବିତ୍ରତା ଏବଂ ପରଲୋକରେ ସଫଳତା ମଧ୍ୟରେ ନିହିତ। କୁରାନ୍ ନ୍ୟାୟ, ସତ୍ୟନିଷ୍ଠା, ଧୈର୍ଯ୍ୟ, ସଂଯମ ଏବଂ ଧାର୍ମିକତାକୁ ଏକ ସନ୍ତୁଳିତ ଜୀବନ ପାଇଁ ଅତ୍ୟାବଶ୍ୟକ ମୂଲ୍ୟବୋଧ ଭାବରେ ବାରମ୍ବାର ଗୁରୁତ୍ୱାରୋପ କରିଥାଏ।
ଇସଲାମିକ୍ ଜୀବନଶୈଳୀର ଏକ ମୁଖ୍ୟ ନୀତି ହେଉଛି ସଂଯମତା। ଇସଲାମ୍ ନା ସାଂସାରିକ ଜୀବନରୁ ସମ୍ପୂର୍ଣ୍ଣ ବିରତିକୁ ପ୍ରୋତ୍ସାହିତ କରେ, ନା ଭୌତିକ ସୁଖରେ ଅନ୍ଧ ଭାବରେ ମଜ୍ଜି ରହିବାକୁ ଉତ୍ସାହିତ କରେ। ବରଂ, ଏହା ସାଂସାରିକ ଦାୟିତ୍ୱ ଏବଂ ଆଧ୍ୟାତ୍ମିକ କର୍ତ୍ତବ୍ୟ ମଧ୍ୟରେ ଏକ ସନ୍ତୁଳିତ ପଥ ପ୍ରଦାନ କରେ। ଆଜିର ଦୁନିଆରେ, ଯେଉଁଠି ଲୋକମାନେ ପ୍ରାଯତଃ ଅତ୍ୟଧିକ ବସ୍ତୁବାଦ ଏବଂ ସୀମାହୀନ ନୈତିକ ସ୍ୱାଧୀନତାକୁ ନେଇ ଦୋଦୋପାଞ୍ଚ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ସେଠାରେ ସନ୍ତୁଳନର ନୀତି ଏକ ଅର୍ଥପୂର୍ଣ୍ଣ ସମାଧାନ ପ୍ରଦାନ କରିଥାଏ।
ସାମାଜିକ ଜୀବନରେ ଇସଲାମ୍ ମାନବ ଅଧିକାର ଏବଂ ଦାୟିତ୍ୱ ଉପରେ ଦୃଢ ଗୁରୁତ୍ୱ ଦିଏ। ମାତାପିତାଙ୍କୁ ସମ୍ମାନ ଦେବା, ପଡ଼ୋଶୀଙ୍କ ପ୍ରତି ଦୟା ଭାବ ରଖିବା, ପାରିବାରିକ ସମ୍ପର୍କ ବଜାୟ ରଖିବା, ଅନାଥ ଏବଂ ଦରିଦ୍ରଙ୍କୁ ସହାୟତା କରିବା, ଏବଂ ସମାଜରେ ନ୍ୟାୟକୁ ପ୍ରାଧାନ୍ୟ ଦେବା ଇସଲାମର ମୌଳିକ ଶିକ୍ଷା ଅଟେ। ଯଦି ଏହି ନୀତିଗୁଡ଼ିକୁ ଆଧୁନିକ ସମାଜରେ ବ୍ୟାପକ ଭାବରେ ଗ୍ରହଣ କରାଯାଏ ତେବେ ହିଂସା, ଅସମାନତା, ଦୁର୍ନୀତି ଏବଂ ଭେଦଭାବ ଭଳି ଅନେକ ସାମାଜିକ ସମସ୍ୟାକୁ ଉଲ୍ଲେଖନୀୟ ଭାବେ କମ୍ କରାଯାଇପାରିବ।
ଇସଲାମ୍ ଏକ ଦୃଢ଼ ନୈତିକ ଢାଞ୍ଚାକୁ ପ୍ରୋତ୍ସାହିତ କରେ। ସତ୍ୟବାଦିତା, ନିଷ୍ଠା, ନମ୍ରତା ଧୈର୍ଯ୍ୟ ଏବଂ ଆତ୍ମନିୟନ୍ତ୍ରଣକୁ ମୌଳିକ ଗୁଣ ଭାବରେ ବିବେଚନା କରାଯାଏ। ଦୁର୍ଭାଗ୍ୟବଶତଃ ଆଧୁନିକ ସମାଜରେ ଅସାଧୁତା, ଲୋଭ, ଇର୍ଷା ଏବଂ ସ୍ୱାର୍ଥପରତା ଧିରେ ଧିରେ ବଢିଚାଲିଛି, ଯାହା ସାମାଜିକ ବନ୍ଧନ ଏବଂ ନୈତିକ ମୂଲ୍ୟବୋଧକୁ ଦୁର୍ବଳ କରୁଛି।
ଅର୍ଥନୈତିକ ଦୃଷ୍ଟିକୋଣରୁ ଇସଲାମ୍ ଏକ ନ୍ୟାୟପୂର୍ଣ୍ଣ ଏବଂ ସନ୍ତୁଳିତ ବ୍ୟବସ୍ଥା ଉପସ୍ଥାପନ କରେ ଯାହା ଶୋଷଣ, ସୁଧ କାରବାର ଏବଂ ଅନ୍ୟାୟପୂର୍ଣ୍ଣ କାର୍ଯ୍ୟକଳାପକୁ ପ୍ରସୟ ଦିଏ ନାହିଁ। ଆଜିର ବିଶ୍ୱ ବ୍ୟବସ୍ଥାରେ ପରିଲକ୍ଷିତ ଅର୍ଥନୈତିକ ଅସମାନତା ଏବଂ ଦାରିଦ୍ର୍ୟ ମୁଖ୍ୟତଃ ଅନୈତିକ ଆର୍ôଥକ କାର୍ଯ୍ୟକଳାପ ଓ ନୈତିକ ଉତ୍ତରଦାୟିତ୍ୱର ଅଭାବ ଯୋଗୁଁ ହୋଇଥାଏ।
ଇସଲାମରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆ ଯାଇଛି। କୁରାନ୍ର ସର୍ବପ୍ରଥମ ବାଣୀ “ପଢ଼’ ଶବ୍ଦରୁ ଆରମ୍ଭ, ଯାହା ଜ୍ଞାନର ଗୁରୁତ୍ୱକୁ ଦର୍ଶାଇଥାଏ। ଇସଲାମିକ୍ ସଭ୍ୟତା ଐତିହାସିକ ଭାବରେ ବିଜ୍ଞାନ, ଚିକିତ୍ସା, ଗଣିତ ଏବଂ ଦର୍ଶନ ଶାସ୍ତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଛି। ଏପରିକି ଯଦି ଧାର୍ମିକ ଏବଂ ସାଂସାରିକ ଶିକ୍ଷା ମଧ୍ୟରେ କୌଣସି ପାର୍ଥକ୍ୟ ନ ରଖି୍ ଏକ ସମଗ୍ରବାଦୀ ଓ ନୈତିକ ଦୃଷ୍ଟିକୋଣରୁ ଜ୍ଞାନ ଅର୍ଜନ କରାଯାଏ, ତେବେ ଉଲ୍ଲେଖନୀୟ ପ୍ରଗତି ହୋଇପାରିବ।
ଆଧୁନିକ ଯୁଗରେ ଗଣମାଧ୍ୟମ ଏବଂ ସୋସିଆଲ୍ ନେଟୱର୍କ ଲୋକଙ୍କ ଆଚରଣକୁ ପ୍ରଭାବିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ମାଧ୍ୟମଗୁଡ଼ିକ ଯୋଗାଯୋଗ ଏବଂ ସୂଚନା ଆଦାନ ପ୍ରଦାନରେ ସହାୟକ ହେଉଥିଲେ ମଧ୍ୟ ବେଳେବେଳେ ଏଗୁଡ଼ିକ ନୈତିକ ଅବକ୍ଷୟ, ଭୁଲ୍ ସୂଚନାର ପ୍ରସାର ଏବଂ ମାନସିକ ଚାପ ବୃଦ୍ଧିର କାରଣ ମଧ୍ୟ ହୋଇଥାନ୍ତି। ଗଠନମୂଳକ ଓ ନୈତିକ ଉଦ୍ଦେଶ୍ୟ ସାଧନକୁ ସୁନିଶ୍ଚିତ କରି ଇସଲାମିକ୍ ଜୀବନଶୈଳୀ ସମସ୍ତ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ଉତ୍ସାହିତ କରେ।
ଆଧୁନିକ ସମାଜରେ ଇସଲାମିକ୍ ଜୀବନଶୈଳୀ କେବଳ ଏକ ଧାର୍ମିକ ଆବଶ୍ୟକତା ନୁହେଁ, ବରଂ ଏହା ମାନବ ଜୀବନ ପାଇଁ ଏକ ବ୍ୟବହାରିକ ଏବଂ ସନ୍ତୁଳିତ ବ୍ୟବସ୍ଥା। ଏହା ଆଜି ସମ୍ମୁଖୀନ ହେଉଥିବା ଅନେକ ନୈତିକ, ସାମାଜିକ ଏବଂ ମାନସିକ ସମସ୍ୟାର ସମାଧାନ ପ୍ରଦାନ କରିଥାଏ। ଇସଲାମିକ୍ ନୀତିଗୁଡ଼ିକୁ ଗ୍ରହଣ କରି ଜଣେ ଆଭ୍ୟନ୍ତରୀଣ ଶାନ୍ତି ପ୍ରାପ୍ତ ହୋଇପାରିବ, ଏବଂ ସମାଜଗୁଡ଼ିକ ନ୍ୟାୟ, ସଦ୍ଭାବ ଏବଂ ସମୃଦ୍ଧି ଆଡ଼କୁ ଅଗ୍ରସର ହୋଇପାରିବ। ଇସଲାମ୍ ଏଭଳି ଏକ ମାର୍ଗଦର୍ଶିକା ଅଟେ ଯାହା ପ୍ରତ୍ୟେକ ଯୁଗ ପାଇଁ, ବିଶେଷକରି ଆଧୁନିକ ବିଶ୍ୱର ଜଟିଳତା ମଧ୍ୟରେ ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ।
ସାହାବୁଦ୍ଦିନ୍ – ଇସଲାମିକ୍ ସ୍କଲାର
