ଆସୁଛି ‘ଅର୍ଣ୍ଣବ’,ବାତ୍ୟା ଚର୍ଚ୍ଚାରେ ମୋହର ମାରିଛି ;ଆଇଏମ୍ଡି
ଭୁବନେଶ୍ୱର: ବାତ୍ୟା ଚର୍ଚ୍ଚାରେ ମୋହର ମାରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)। ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବ ବୋଲି ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଆସନ୍ତା ୨୬ ତାରିଖରେ ସମୁଦ୍ର ମଧ୍ୟରେ ଏହାର ବାତ୍ୟାର ରୂପ ନେବାକୁ ଥିବା ବେଳେ ୨୮ ତାରିଖରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ଉପକୂଳ ଛୁଇଁବ। ଏହା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ତେବେ ଉପକୂଳ ଛୁଇଁବା ସମୟରେ ପବନର ବେଗ କେତେ ରହିବ, ସେ ସଂପର୍କରେ ଆଇଏମ୍ଡି ପକ୍ଷରୁ ଅଦ୍ୟାବଧି ଆକଳନ କରାଯାଇନାହିଁ। ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ଅର୍ଣ୍ଣବ’ ରହିବ। ବାତ୍ୟା ପ୍ରଭାବରେ ରାଜ୍ୟରେ ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ। ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏହାକୁ ଦୃଷ୍ଟିରେ ରଖି ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସେହିପରି, ଜାହାଜ ଚଳାଚଳ ଉପରେ ବନ୍ଦରଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି।
ଆଇଏମ୍ଡି ଡିଜି ଡକ୍ଟର ମହାପାତ୍ର କହିଛନ୍ତି, ଆଜି ସକାଳେ ସୃଷ୍ଟ ଲଘୁଚାପ କ୍ଷେତ୍ର ଧୀରେଧୀରେ ଘନୀଭୂତ ହୋଇ ଶନିବାର ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ
ଦିଗରେ ଗତି କରିବ ଏବଂ ଅଧିକ ଘନୀଭୂତ ହୋଇ ଆସନ୍ତା ୨୫ ତାରିଖ ସୁଦ୍ଧା ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି। ୨୬ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ଏହା ଆହୁରି ଅଧିକ ଘନୀଭୂତ ହୋଇ ସେହି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୮ତାରିଖ ସକାଳୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ଉପକୂଳ ଆଡ଼କୁ ବାତ୍ୟା ଗତି କରିବା ସମୟରେ ଏହା ଅଧିକରୁ ଅଧିକ ବଳ ଗୋଟାଇବ; ପବନର ବେଗ ବୃଦ୍ଧି ପାଇବ। ବର୍ତ୍ତମାନ ପରିସ୍ଥିତିରେ ପୂର୍ବ-କେନ୍ଦ୍ରୀୟ ଏବଂ ନିକଟସ୍ଥ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି ବେଗରେ ପବନ ବହୁଛି। କେନ୍ଦ୍ରସ୍ଥଳରେ ଧୀରେଧୀରେ ପବନର ବେଗ ବୃଦ୍ଧି ପାଉଛି। ଆସନ୍ତାକାଲି କେନ୍ଦ୍ର ସ୍ଥଳରେ ଘଣ୍ଟା ପ୍ରତି ୪୫ରୁ ୫୫କି.ମି ଏବଂ ଝଟକା ପବନର ବେଗ ୬୫ କି.ମି ପର୍ଯ୍ୟନ୍ତ ଛୁଇଁପାରେ। ୨୫ ତାରିଖ ବେଳକୁ କେନ୍ଦ୍ରସ୍ଥଳରେ ଘଣ୍ଟା ପ୍ରତି ୫୫ରୁ ୬୫କି.ମି ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୭୫ କି.ମି ପର୍ଯ୍ୟନ୍ତ ରହିପାରେ। ୨୬ ତାରିଖ ସକାଳେ କେନ୍ଦ୍ରସ୍ଥଳରେ ଘଣ୍ଟା ପ୍ରତି ୭୦ରୁ ୮୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୯୦କି.ମି. ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି। ଉପକୂଳ ଆଡ଼କୁ ଗତି କରିବା ସମୟରେ ପବନର ବେଗ ବଢ଼ିବ।
ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଆସନ୍ତା ୨୬ତାରିଖରୁ ଓଡ଼ିଶା ଉପକୂଳରେ ଅନୁଭୂତ ହେବ। ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଯିବ। ୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ୨୮ ଓ ୨୯ରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଏପରିକି, ୨୦ରୁ ୩୦ ସେ.ମି କିମ୍ବା ତଦୂର୍ଦ୍ଧ୍ବ ବର୍ଷା ସମ୍ଭାବନା ରହିଛି। ସେହିପରି, ୨୭ତାରିଖରୁ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦କି.ମି ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦କି.ମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୨୮ରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ରେଡ୍ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କିନ୍ତୁ ଯେତେବେଳେ ସମ୍ଭାବ୍ୟ ବାତ୍ୟା ଉପକୂଳ ଆଡ଼କୁ ଅଗ୍ରସର ହେବ, ସେତେବେଳେ ଧୀରେ ଧୀରେ ପବନର ବେଗ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ହେଲେ ସମ୍ଭାବ୍ୟ ବାତ୍ୟା କେଉଁଠି ଉପକୂଳ ଅତିକ୍ରମ କରିବ ଏବଂ କେତେବେଳେ ଅତିକ୍ରମ କରିବ, ତା’ର କୌଣସି ସଠିକ ଆକଳନ ଅଦ୍ୟାବଧି କରାଯାଇନାହିଁ। ୨୯ରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ।
ବାଂଲାଦେଶ କରିଛି ନାମକରଣ
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ର ନାମ ‘ଅର୍ଣ୍ଣବ’ ରହିବ। ବାଂଲାଦେଶ ଏହାର ଏପରି ନାମକରଣ କରିଛି। ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍ଓ) ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାମ। ଅର୍ଣ୍ଣବର ଅର୍ଥ ହେଉଛି ‘ସମୁଦ୍ର’ ବା ‘ବିଶାଳ ଜଳରାଶି’। ଏହି ନାମ ବାଂଲାଦେଶ ପକ୍ଷରୁ ଉତ୍ତର ଭାରତ ମହାସାଗର ପାଇଁ ଥିବା ଘୂର୍ଣ୍ଣିବାତ୍ୟା ନାମ ତାଲିକାରେ ପ୍ରସ୍ତାବିତ ହୋଇଛି।
ଆସୁଛି…
