ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର
ଭଞ୍ଜନଗର,୨୯।୧୦: ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନେକ ଗ୍ରାମ ଜଳବନ୍ଦୀ ହୋଇଛି। ଘରେ ବନ୍ୟାଜଳ ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ଭଞ୍ଜନଗରରୁ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଯୋଗାଯୋଗ ବ୍ୟାହତ ହୋଇଛି। ଫସି ରହିଥିବା ଲୋକଙ୍କୁ ତୁରନ୍ତ ଓଡ୍ରାଫ ଟିମ ସହାୟତାରେ ଉଦ୍ଧାର କରାଯାଉଛି, ରିଲିଫ ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଭଞ୍ଜନଗର ସହର ତଳିର ଅନେକ ପକ୍କା ଘର ପାଣିରେ ବୁଡ଼ିଯାଇଥିବା ବେଳେ ଲୋହରାଖଣ୍ଡି ନଦୀରେ ବନ୍ୟାଜଳ ବୃଦ୍ଧି ପରିସ୍ଥିତିକୁ ଜଟିଳ କରିଛି। ଭଞ୍ଜନଗର-ବ୍ରହ୍ମପୁର ରାସ୍ତାର ଦମକଳ କେନ୍ଦ୍ର ନିକଟରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି।
ସେହିପରି ଭଞ୍ଜନଗର-ଭୁବନେଶ୍ୱର ମୁଖ୍ୟ ରାସ୍ତାର ଜାମପଲ୍ଲୀ ମନ୍ଦିର ନିକଟରେ ଲୋହରାଖଣ୍ଡି ନଦୀଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି। ଅନ୍ୟପକ୍ଷରେ କଳିଙ୍ଗା ଘାଟି ରାସ୍ତା ମଧ୍ୟ ବନ୍ଦ ରହିଛି। ତେବେ ଭଞ୍ଜନଗର-ଦଶପଲ୍ଲା ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି। କମାଳବାରି ତୋଟା ନିକଟରେ ବଡ଼ନଦୀର ଜଳସ୍ତର ବଢ଼ିଲେ ଏହି ରାସ୍ତା ମଧ୍ୟ ବନ୍ଦ ହେବାର ଆଶଙ୍କା ରହିଛି।
ସୂଚନା ଅନୁଯାୟୀ, ଡହ ଜଳଭଣ୍ଡାର ଅଞ୍ଚଳରେ ବୁଧବାର ସନ୍ଧ୍ୟାା ୬ଟାରୁ ଗୁରୁବାର ସକାଳ ୬ଟା ମଧ୍ୟରେ ୩୦୫ ମିଲିମିଟର ବର୍ଷା ହୋଇଥିବା ବେଳେ ସୋରଡ଼ା ଅଞ୍ଚଳରେ ୩୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଅଳ୍ପ ସମୟ ମଧ୍ୟରେ ଏତେ ପରିମାଣର ବର୍ଷା ହେବାରୁ ଲୋହରାଖଣ୍ଡି ଓ ବଡ଼ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇଛି।
ବୁଧବାର ସନ୍ଧ୍ୟାରେ ଡହ ଜଳଭଣ୍ଡାରର ଜଳସ୍ତର ୭୧ ପ୍ରତିଶତ ଥିବା ବେଳେ ରାତି ୧୨ଟା ପରେ ଏହା ହଠାତ୍ ବଢ଼ିଥିଲା। ଗୁରୁବାର ଭୋର୍ ପ୍ରାୟ ୪ଟା ସମୟରେ ଜଳଭଣ୍ଡାର ପୂର୍ଣ୍ଣ ହୋଇଯିବାରୁ ଆଡ଼ିବନ୍ଧର ସୁରକ୍ଷା ଦୃଷ୍ଟିରୁ ଲୋହରାଖଣ୍ଡି ନଦୀକୁ ଜଳ ନିଷ୍କାସନ କରାଯାଇଥିଲା। ଫଳରେ ନଦୀର ଜଳସ୍ତର ବଢ଼ି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି।
ଗୁରୁବାର ସକାଳୁ ଚଢ଼େୟାପଲ୍ଲୀ, ବାହାଡ଼ାପଦର, ବାଉଁଶଲୁଣ୍ଡି, ସାନକୋଦଣ୍ଡା, ଗମ୍ଭାରୀଗୋଚା, ଯୋଗୀମାରି, ଢୁଢୁଆ, କଇଠପଲ୍ଲୀ ଓ ଭଞ୍ଜନଗର ସହର ଉପକଣ୍ଠର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଅନେକ ଘରେ ବନ୍ୟାଜଳ ପଶିଥିବା ବେଳେ ହଠାତ୍ ପାଣି ମାଡ଼ି ଆସିବାରୁ କେତେକ ସ୍ଥାନରେ ଚାଳଛପର ଘର ଭାଙ୍ଗିଯାଇଛି। ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ କେତେକ ପରିବାର ନିଜ ଉଦ୍ୟମରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଛୋଟ ପିଲାଙ୍କୁ ନେଇ ଅନେକ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି। ଗାଡ଼ି ଓ ଗୃହପାଳିତ ପଶୁ ବନ୍ୟାଜଳରେ ଭାସିଯାଇଥିବା ନେଇ ମଧ୍ୟ ଖବର ମିଳିଛି। ଖବର ପାଇ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପରିସ୍ଥିତି ଉପରେ ନଜର ରଖିବା ସହ ଧନଜୀବନର କ୍ଷୟକ୍ଷତି ରୋକିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
