ସମ୍ବଲପୁର ଫୁଟ୍‌ବଲ୍‌ ଏକାଡେମୀର ଯାତ୍ରାକୁ ବ୍ୟାପକ ତଥା ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିତ୍ତିଭୂମିର ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟର ଶୁଭାରମ୍ଭ

mohan sam

ସମ୍ବଲପୁର: ସମ୍ବଲପୁର ଫୁଟ୍‌ବଲ୍‌ ଏକାଡେମୀର ଯାତ୍ରାକୁ ବ୍ୟାପକ ତଥା ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭିତ୍ତିଭୂମିର ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ୧୫ କୋଟି ଟଙ୍କାରେ ଏକାଡେମୀ ପରିସରରେ ଅନ୍ତର୍ଜାତୀୟ ସ୍ତରର ୩ଟି ଫିଫା ମାନର ପୂର୍ଣ୍ଣ ଆକାରର ଫୁଟ୍‌ବଲ୍‌ ପଡ଼ିଆ ଓ ୨ଟି ଅତ୍ୟାଧୁନିକ ଫୁଟ୍‌ସାଲ ଗ୍ରାଉଣ୍ଡ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ମାଣ ହେବାକୁ ଥିବା ଫୁଟବଲ୍ ପଡ଼ିଆରେ ପୂଜାର୍ଚ୍ଚନା କରିବା ସହ ଗ୍ରାଉଣ୍ଡ ମରାମତି ପାଇଁ ଉଦ୍ଦିଷ୍ଟ ଗାଡ଼ିକୁ ନିଜେ ଚଳାଇଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ୍‌ର ଏକ ଶାଖା ଭାବେ ୨୦୦୭ ମସିହାରୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେବାରେ ସବୁଠୁ ବଡ଼ ମାଧ୍ୟମ ସାଜିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଗତ ୧୯ ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହଶହ ପ୍ରତିଭାବାନ୍ ଫୁଟ୍‌ବଲ୍‌ ଖେଳାଳି ସୃଷ୍ଟି ହୋଇଛନ୍ତି। ସେମାନେ ବିଭିନ୍ନ ବୟସ ବର୍ଗରେ ଜାତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଣିକି ପ୍ରତିବର୍ଷ ଆୟୋଜିତ ହେଉଥିବା ସିଏମ୍ କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟରୁ ତୃଣମୂଳ ସ୍ତରରେ ମନୋନୀତ ହେଉଥିବା ୧୪ ବର୍ଷରୁ କମ୍ ବୟସର ୩୦ ଜଣ ପ୍ରତିଭାବାନ ପିଲାଙ୍କୁ ଉଚ୍ଚକୋଟୀର ଆବାସିକ ତାଲିମ ଦେବାର ଦାୟିତ୍ୱ ଏହି ଏକାଡେମୀକୁ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଓ ଉପଯୁକ୍ତ ପ୍ରଶିକ୍ଷଣ ଜରିଆରେ ସମ୍ବଲପୁର ଫୁଟ୍‌ବଲ୍‌ ଏକାଡେମୀ ଆଗାମୀ ଦିନରେ ଓଡ଼ିଶା ପାଇଁ କ୍ରୀଡ଼ା କ୍ଷେତ୍ରରେ ଆହୁରି ଅନେକ ଗୌରବ ଓ ସଫଳତା ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି।

About The Author