ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

WhatsApp Image 2026-04-20 at 5.51.28 PM

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ସିଆର୍‌ଆର୍‌ଆର୍‌ଆଇ) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଚାଷୀଙ୍କ ଦୁଆର ମୁହଁକୁ ଏଣିକି ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ଏଥିପାଇଁ ‘ଆମ ବିହନ ରଥ‘ର ଶୁଭାରମ୍ଭ କରାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ୪୧,୬୮, ୫୮୨ ଜଣ ଚାଷୀଙ୍କୁ ସିଏମ-କିସାନ ଯୋଜନାରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଏହି ଭ୍ରାମ୍ୟମାଣ ବିହନ ବିକ୍ରୟ କେନ୍ଦ୍ର ଗୁଡିକ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୩୧ଟି ବ୍ଲକରେ ଚାଲୁ ହେବ। ୫ କେଜିଆ ପ୍ୟାକେଟ୍ ଆକାରରେ ନୂତନ କିସମର ଧାନ ବିହନ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ ହେବ।

ଧାନ ଗବେଷଣା କେନ୍ଦ୍ର ନିକଟରେ ଥିବା ଚାଷ ଜମିରେ ମୁଖ୍ୟମନ୍ତ୍ରୀ ଭୂମି ପୂଜା କରିବା ପରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଏହାପରେ କୃଷି ପ୍ରଦର୍ଶନୀ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ କୃଷକ ଭାଇ ଓ ଭଉଣୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି, ସଂସ୍କୃତି ଓ ସମୃଦ୍ଧିର ମୂଳ ଆଧାର ହେଉଛି କୃଷି। ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରି ନୂଆ କୃଷି ବର୍ଷର ଶୁଭାରମ୍ଭ କରୁଥିବାରୁ ଏହା ଓଡ଼ିଶାର ଗୌରବମୟ ପରମ୍ପରା।

About The Author