ଶିଶୁ ସୁରକ୍ଷା ଆୟୋଗଙ୍କ ରୁବୁଡ଼ିସିଂରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାସ୍ଥଳ ପରିଦର୍ଶନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ରୁବୁଡ଼ିସିଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଫାଟକ ପିଲାର୍ ତଳେ ଚାପି ହୋଇ ଗତ ବୁଧବାର ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନିକ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ତଦନ୍ତ କମିଟିର ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଧାନଶିକ୍ଷକ ସେତୋ ରାଇକାଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି । ସେହିଭଳି, ଶିକ୍ଷା ବିଭାଗ ପକ୍ଷରୁ ଠିକାଦାରଙ୍କ ବିରୋଧରେ ରା.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ନିଜ ଆଡୁ ଏକ ମାମଲା ରୁଜୁ କରିଛି।
ଗତକାଲି ତଦନ୍ତ ପାଇଁ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ବିଦ୍ୟାଳୟରେ ପହଞ୍ଚିଥିଲେ। ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଭିଭାବକ, ମୃତ ଛାତ୍ରୀଙ୍କ ମା’, ଗ୍ରାମବାସୀ ଏବଂ ବିଦ୍ୟାଳୟର କର୍ମଚାରୀମାନଙ୍କ ସହ କଥା ହୋଇଥିଲେ । ଛାତ୍ରୀଙ୍କ ପରିବାରର ଅନ୍ୟ ଶିଶୁମାନଙ୍କୁ ଶିକ୍ଷାଦାନ ଠିକ୍ ଭାବରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଥିବା ବେଳେ ଶିଶୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆ ଯାଇନଥିବା ସେ ଜାଣିବାକୁ ପାଇଥିଲେ ପାରିପାର୍ଶ୍ବକ ସ୍ଥିତି ଦେଖିବା ପରେ ଏଥିରେ ପ୍ରଧାନଶିକ୍ଷକଙ୍କ କୌଣସି ଭୁଲ୍ ନାହିଁ ବରଂ ଠିକାଦାରଙ୍କ ଅବହେଳାରୁ ଘଟିଛି ମତ ଦେଇଥିଲେ। ଜିଲ୍ଲା ପ୍ରଶାସନର ସ୍ଥାଣୁତାକୁ ମଧ୍ୟ ସେ ଦାୟୀ କରିଥିଲେ। ସେ ଆସିଥିବା ବେଳେ ଜିଲ୍ଲାପାଳ ଉପସ୍ଥିତ ନରହିବା ତାଙ୍କ ଅବହେଳାକୁ ସୂଚାଉଛି ବୋଲି କହିଥିଲେ ।ଶିଶୁ ସୁରକ୍ଷା ନିମନ୍ତେ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହା ଶିଶୁଙ୍କ କାମରେ ନଲାଗି ବାଟମାରଣା ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟ କେତେକ ସ୍ଥାନ ପରିଦର୍ଶନ କରି ସେ ପିଲାଙ୍କ ପାଇଁ ଅନୁପଯୋଗ ଥିବା ଦର୍ଶାଇବା ସହ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନାବାଡ଼ି କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ତାଙ୍କ ଗସ୍ତ
ସମୟରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ, ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ନୂଆଗଡ଼ ବ୍ଲକ ଉନ୍ନୟନ ଅଧିକାରୀ ଲୋକନାଥ ଶବର ଓ ତହସିଲଦାର ମୋନାଲିସା ଆଚାର୍ଯ୍ୟ
ଉପସ୍ଥିତ ଥିଲେ। ତଦନ୍ତ ପରେ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
