୮.୮ ନିୟୁତ ଯାତ୍ରୀ କ୍ଷମତା ବିଶିଷ୍ଟ ଟର୍ମିନାଲ ନିର୍ମାଣ
ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଗତ ୧୨ ବର୍ଷ ମଧ୍ୟରେ ବିମାନ ଉଡ଼ାଣ ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆର୍ଥିକ ବର୍ଷ ୨୦୧୪-୧୫ରେ ୧୦, ୭୬୫ ବିମାନ ଉଡ଼ାଣ କରୁଥିବା ବେଳେ ୨୦୨୫-୨୬ ସୁଦ୍ଧା ଏହି ସଂଖ୍ୟା ୩୮,୪୧୬ରେ ପହଞ୍ଚିଛି। ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଯାତ୍ରୀ ପରିବହନ ୫.୧ ନିୟୁତ ଥିବାବେଳେ ୨୦୧୪-୧୫ ଆର୍ଥିକ ବର୍ଷ ବେଳକୁ ୧.୪ ନିୟୁତ ଯାତ୍ରୀ ଗମନାଗମନ କରିଥିଲେ। ୨୦୧୪-୧୫ ବର୍ଷରେ ୮ଟି ସହରକୁ ବିମାନ ଉଡ଼ାଣ କରୁଥିବା ବେଳେ ବର୍ତ୍ତମାନ ଦେଶ ଓ ବିଦେଶର ୩୦ଟି ସହରକୁ ବିମାନ ଉଡ଼ାଣ କରୁଛି। ବର୍ତ୍ତମାନ ବିମାନ ବନ୍ଦରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ଥିବାବେଳେ ଆଗାମୀ ଦିନରେ ଟର୍ମିନାଲ-୩ ନିର୍ମାଣ କରିବାକୁ ବିଚାରବିମର୍ଶ ଚାଲିଛି। ୮.୮ ନିୟୁତ ଯାତ୍ରୀ କ୍ଷମତା ବିଶିଷ୍ଟ ଟର୍ମିନାଲ ନିର୍ମାଣ କରାଯିବ।
ନୂଆ ଟର୍ମିନାଲରେ ଓଡ଼ିଶାର ସଂସ୍କୃତି, ପରମ୍ପରା ସ୍ଥାନ ପାଇବ। ଫଳରେ ଯାତ୍ରୀ ଆସିଲେ ସଂସ୍କୃତି ଓ ପରାମର୍ଶ ଚିତ୍ର ଦେଖି ଓଡ଼ିଶା ରାଜ୍ୟକୁ ଅନୁଭବ କରିପାରିବେ ବୋଲି ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି। ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପୂର୍ବ ଭାରତରେ ପ୍ରମୁଖ ବିମାନ ବନ୍ଦର ଭାବେ ପରିଗଣିତ। ରାଜ୍ୟର ପର୍ଯ୍ୟଟକ, ଆର୍ଥିକ, ଗମନାଗମନ କ୍ଷେତ୍ରରେ ଏହି ବିମାନ ବନ୍ଦରର ଭୂମିକା ରହିଛି। ଗତ ୧୨ବର୍ଷ ମଧ୍ୟରେ ଏହି ବିମାନ ବନ୍ଦର ଭିତ୍ତିଭୂମି, ଯାତ୍ରୀଙ୍କ ସୁବିଧା, ବିମାନ ଚଳାଚଳ ବୃଦ୍ଧି ଏବଂ ଆଧୁନିକୀକରଣରେ ବିକାଶ ଆସିଛି। ମାଲ ପରିବହନରେ ମଧ୍ୟ ଏହି ବିମାନ ବନ୍ଦରର ଭୂମିକା ରହିଛି।
