ଶିଶୁ ମୃତ୍ୟୁ ହ୍ରାସ ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

WhatsApp Image 2026-06-12 at 4.06.46 PM

— ତ୍ରୁଟି ପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବ: ଜିଲ୍ଲାପାଳ

— ଷ୍ଟପ୍ ଡାଇରିଆ ଅଭିଯାନ-୨୦୨୬ ରେ ପ୍ରତ୍ୟେକ ପରିବାରକୁ ଦିଆଯିବ ଓଆରଏସ ପ୍ୟାକେଟ ଏବଂ ଜିଙ୍କ ଟ୍ୟାବଲେଟ

— ଜୁନ ୨୯ ଓ ୩୦ ତାରିଖରେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ

ଯାଜପୁର, ୧୧/୦୬/୨୬: ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଦିଗରେ ବିଭାଗୀୟ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି କହିଛନ୍ତି ଜିଲ୍ଲାପାଳ ଅମ୍ବର କୁମାର କର। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ସମୀକ୍ଷା ବୈଠକ, “ଷ୍ଟପ୍ ଡାଇରିଆ” ଅଭିଯାନ-୨୦୨୬ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଏବଂ ଆଇପିପିଆଇ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗତ ଚାରି ବର୍ଷର ଶିଶୁ ମୃତ୍ୟୁ ତଥ୍ୟ ସମୀକ୍ଷା କରି ଜିଲ୍ଲାପାଳ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଶିଶୁ ମୃତ୍ୟୁ ହ୍ରାସ ପାଇଁ କ୍ଷେତ୍ରସ୍ତରରେ ଅଧିକ ସଚେତନତା ଓ ନିୟମିତ ଅନୁଧ୍ୟାନ ଆବଶ୍ୟକ ବୋଲି ସେ କହିଥିଲେ। ଆଶା କର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ପ୍ରତ୍ୟେକ ଆଶା କର୍ମୀ ନିଜ ଅଧୀନରେ ଥିବା ପ୍ରାୟ ୨୦୦ ପରିବାର ସହ ନିବିଡ଼ ଭାବେ ସମ୍ପର୍କ ରଖି ସରକାରୀ ସ୍ୱାସ୍ଥ୍ୟ ସେବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ମଧ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଓ ସୁପରଭାଇଜରମାନଙ୍କ ଯଥେଷ୍ଟ ତଦାରଖ ଅଭାବରୁ ଅନେକ କ୍ଷେତ୍ରରେ ଲୋକମାନେ ନିୟମିତ ସେବା ପାଇପାରୁ ନାହାନ୍ତି। କୌଣସି ପ୍ରକାରର ଅବହେଳା କିମ୍ବା ତ୍ରୁଟି ଦେଖାଗଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦାୟିତ୍ୱ ନିର୍ଦ୍ଧାରଣ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ। ସମସ୍ତ ଡାକ୍ତରଖାନାର ସୁପରିଣ୍ଟେଣ୍ଡେଣ୍ଟ ଓ ମେଡିକାଲ ଅଫିସର-ଇନ୍-ଚାର୍ଜମାନଙ୍କୁ ସେ ନିଜ ଟିମ୍‌ର ନେତୃତ୍ୱ ନେଇ ରୋଗୀ ସେବାରେ ଅଧିକ ସକ୍ରିୟ ହେବାକୁ ପରାମର୍ଶ ଦେଇଥିଲେ। “ଜୀବନ ରକ୍ଷା ଆମର ପ୍ରାଥମିକ ଦାୟିତ୍ୱ” ବୋଲି ସେ ମତ ପ୍ରକାଶ କରିଥିଲେ। ବୈଠକରେ ଷ୍ଟପ୍ ଡାଇରିଆ ଅଭିଯାନ-୨୦୨୬ (୧୬ ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ) ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଚଳିତ ବର୍ଷର ଥିମ୍ ରହିଛି – “ଡାଇରିଆକୁ କିପରି ରୋକିବା ଜାଣ, ସ୍ୱଚ୍ଛତା ସହ ଓ.ଆର୍.ଏସ୍. ଉପରେ ରଖିବା ଧ୍ୟାନ।” ଏହି ଅଭିଯାନରେ ପ୍ରତ୍ୟେକ ପରିବାରକୁ ୨ଟି ଓଆରଏସ୍ ପ୍ୟାକେଟ, ପ୍ରତ୍ୟେକ ୫ ବର୍ଷରୁ କମ୍ ଶିଶୁ ପାଇଁ ଅତିରିକ୍ତ ୧ଟି ଓଆରଏସ୍ ପ୍ୟାକେଟ ଏବଂ ୨ଟି ଜିଙ୍କ ଟାବଲେଟ ବଣ୍ଟନ କରାଯିବ। ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଓଆରଏସ୍-ଜିଙ୍କ କର୍ଣ୍ଣର ସ୍ଥାପନ ଏବଂ ଦିନକୁ ଅତି କମରେ ଦୁଇଥର ପ୍ରଦର୍ଶନୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାପାଳ ଏହି ଅଭିଯାନର ସଫଳତା ପାଇଁ ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗ, ଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ମଧ୍ୟରେ ସମନ୍ୱିତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଆଇପିପିଆଇ ପଲ୍ସ ପୋଲିଓ ରାଉଣ୍ଡ-୨୦୨୬ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୮ ଜୁନ ୨୦୨୬ ତାରିଖରେ ପଲ୍ସ ପୋଲିଓ ବୁଥ୍ ଦିବସ ପାଳନ କରାଯିବ ଏବଂ ଜୁନ୍ ୨୯ ଓ ୩୦ ତାରିଖରେ ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକ୍ରମ ଚାଲିବ। ଜିଲ୍ଲାରେ ମୋଟ ୧,୭୮,୪୭୮ ଜଣ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପୋଲିଓ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୮୪୬ଟି ସ୍ଥାୟୀ ବୁଥ୍, ୩୫ଟି ଟ୍ରାଞ୍ଜିଟ୍ ଟିମ୍, ୨୧ଟି ମୋବାଇଲ ଟିମ୍, ୩,୩୮୪ ଜଣ କର୍ମୀ, ୧୫୦ ଜଣ ସୁପରଭାଇଜର ଏବଂ ୫୩ଟି ଆଇଏଲଆର ପଏଣ୍ଟ ନିୟୋଜିତ କରାଯାଇଛି। ପଲ୍ସ ପୋଲିଓ କାର୍ଯ୍ୟକ୍ରମରେ କୌଣସି ଶିଶୁ ଯେପରି ବାଦ୍ ନପଡ଼ନ୍ତି ସେଥିପାଇଁ ଶିକ୍ଷା, ଆଇସିଡିଏସ୍, ପଞ୍ଚାୟତିରାଜ, ପୌର ସଂସ୍ଥା ଓ ଅନ୍ୟାନ୍ୟ ବିଭାଗକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନର ଲାବରେଟୋରୀ କାର୍ଯ୍ୟଦକ୍ଷତା ମଧ୍ୟ ସମୀକ୍ଷା କରାଯାଇଥିଲା। ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସେବା ପ୍ରଦାନ, ଗୁଣାତ୍ମକ ଚିକିତ୍ସା, ନିୟମିତ ତଦାରଖ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

About The Author