September 10, 2026

ଶୌଚ ପାଇଁ ଯାଇଥିଲେ ମାଡ଼ିବସି ଦେହରେ ଢ଼ାଳିଦେଲେ ପେଟ୍ରୋଲ

WhatsApp Image 2026-08-08 at 3.57.44 PM

ଲହୁଣୀପଡ଼ା, ୮।୮: ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଜଣେ ଯୁବକଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଘଟଣା ପରେ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ଯୁବକ ହେଲେ ଗଣିଘସା ଗ୍ରାମର କାହ୍ନୁ ଚରଣ ମହାନ୍ତ (୩୫)।

ସୂଚନା ଅନୁଯାୟୀ, କାହ୍ନୁ ଚରଣ ମହାନ୍ତ ଶନିବାର ସକାଳୁ ଶୌଚ ପାଇଁ ଘର ନିକଟସ୍ଥ ନାଳକୁ ଯାଉଥିଲେ। ଏହି ସମୟରେ ମୁହଁରେ କପଡ଼ା ବାନ୍ଧିଥିବା ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି କାହ୍ନୁଙ୍କ ଉପରେ ଜୋରଜବରଦସ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ଉଭୟେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏଥିରେ କାହ୍ନୁ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବାରୁ ଅବସ୍ଥା ଗୁରୁତର ଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।

ଜମିବାଡ଼ି ସମ୍ପର୍କିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଆକ୍ରମଣର ପ୍ରକୃତ କାରଣ ଓ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ପରିଚୟ ଜାଣିବା ପାଇଁ ଲହୁଣୀପଡ଼ା ପୋଲିସ ତଦନ୍ତ ଚଳାଇଛି।

About The Author