ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

WhatsApp Image 2026-07-03 at 4.31.54 PM

କୋରାପୁଟ: କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର ଓ ବିସ୍ଫୋରକ ଭଣ୍ଡାର ଠାବ କରାଯାଇଥିବା ଶୁକ୍ରବାର ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରୋହିତ ବର୍ମା ସୂଚନା ଦେଇଛନ୍ତି।

ଗତ ମାର୍ଚ୍ଚମାସ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ପୋଲିସ ଜବତ ସାମଗ୍ରୀ ମଧ୍ୟରେ ଏକ ଦେଶୀ ରିଭଲଭର, ୬ଟି ଦେଶୀ ବନ୍ଧୁକ, ବିଭିନ୍ନ ଓଜନର ୧୧ଟି ଟିଫିନ୍‌ ବୋମା ଆଇଇଡି, ୨୦ ମିଟର କୋଡେକ୍ସ ଓ୍ବେୟାର, ୨୫ଟି ଡିଟୋନେଟର, ୨ଟି କ୍ୟାମେରା ଫ୍ଲାଶ ଲାଇଟ୍‌, ୫୦ ଗ୍ରାମ ଗନ୍‌ପାଉଡର ଏବଂ ୬ ରାଉଣ୍ଡ .୩୮ ବୋର ଗୁଳି ରହିଛି। ପୋଲିସର ସନ୍ଦେହ ଅନୁଯାୟୀ, ଏହି ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟି (AOBSZC)ର ମାଓବାଦୀଙ୍କର ଥିଲା ଏବଂ ସୁରକ୍ଷା ବାହିନୀ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ପାଇଁ ଗଚ୍ଛିତ ରଖାଯାଇଥିଲା।

ସୂଚନା ଥାଉକି, ୧୫ ଡିନ ତଳେ ବୈପାରୀଗୁଡ଼ା ବ୍ଲକର ବଦଳିପାହାଡ଼ ଅଞ୍ଚଳରୁ ଇନ୍‌ସାସ ସମେତ ବନ୍ଧୁକ ଓ ବହୁ ବିସ୍ପୋରକ ଡିଭିଏଫ୍‌ ଦ୍ୱାରା ଉଦ୍ଧାର ହୋଇଥିଲା। ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା ପାଇଁ ଜଙ୍ଗଲ ଅଞ୍ଚଳରେ କୋମ୍ବିଂ ଅପରେଶନ ଜାରି ରହିବ ବୋଲି ଏସ୍‌ପି ବର୍ମା ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଏସ୍‌ପିଙ୍କ ସହ ଅତିରିକ୍ତ ଏସ୍‌ପି ମନୋଜ ପୂଜାରୀ ଏବଂ ଡିଭିଏଫ୍‌ ଯବାନ ଉପସ୍ଥିତ ଥିଲେ।

About The Author