ପୌର ନିର୍ବାଚନ: ଆନ୍ଧ୍ରରେ ଏନ୍ଡିଏର ବଡ଼ ବିଜୟ
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ପୌର ନିର୍ବାଚନରେ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତୃତ୍ୱାଧୀନ ମେଣ୍ଟ ରାଜ୍ୟରେ ୧୩ଟି ନଗର ନିଗମ ମଧ୍ୟରୁ ୯ଟିରେ ବିଜୟୀ ହୋଇଛି। ଏଥିରେ ଶ୍ରୀକାକୁଲମ ନଗର ନିଗମ ଓ ଅମଦାଲାଭଲସା ପୌରପାଳିକାକୁ ବାଦ୍ ଦିଆଯାଇଛି। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହି ଦୁଇଟି ପୌରପାଳିକାରେ ନିର୍ବାଚନ ହୋଇପାରିନଥିଲା। ନେଲିମାର୍ଲା ଓ ସାଲୁରରେ ଟିଡିପିର ବିଦ୍ରୋହୀ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ଜିତିଛନ୍ତି। ଏହାବ୍ୟତୀତ ମେଣ୍ଟ ୮୬ଟି ପୌରପାଳିକା ଓ ନଗର ପଞ୍ଚାୟତ ମଧ୍ୟରୁ ୭୫ଟି ଦଖଲ କରିଛି।
ଟିଡିପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ବୃହତ ବିଶାଖାପାଟଣା ମହାନଗର ନିଗମ (ଜିଭିଏମ୍ସି) ନିର୍ବାଚନରେ ବୃହତ୍ ବିଜୟ ହାସଲ କରିଛି। ଏନ୍ଡିଏ ମେଣ୍ଟ ଏଠାରେ ୧୨୦ ଆସନରୁ ୯୮ଟି ବିଜୟୀ ହୋଇଛି। ଟିଡିପି ୬୪ଟି ୱାର୍ଡ ସହିତ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ଏହାର ମେଣ୍ଟ ସହଯୋଗୀ, ଜନ ସେନା ପାର୍ଟି (ଜେଏସ୍ପି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ଯଥାକ୍ରମେ ୨୬ ଓ ୮ଟି ୱାର୍ଡ ଜିତିଛନ୍ତି। ନଭେମ୍ବର ୧ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ୫୬.୩୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା, ଯେଉଁଥିରେ ୧୮,୩୭,୯୦୧ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ୧୦,୩୫,୧୫୪ ଜଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ।
ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ
ମଙ୍ଗଳବାର ଘୋଷିତ ଫଳାଫଳରେ ଟିଡିପି ମେୟର ପଦବୀ ଜିତିଛି ଓ ଏହାର ପ୍ରାର୍ଥୀ ମୁକ୍କା ଶ୍ରାବଣୀ ମେୟର ନିର୍ବାଚନ ଜିତିଛନ୍ତି। ୱାଇଏସ୍ଆର୍ କଂଗ୍ରେସ ପାର୍ଟି (ୱାଇଏସ୍ଆରସିପି) ପାଇଁ ବଡ଼ ଝଟକା ହୋଇଛି। ୱାଇଏସ୍ଆର୍ସିପି ପୂର୍ବ କାର୍ଯ୍ୟକାଳରେ ଜିତିଥିବା ୫୯ ଟି ୱାର୍ଡ ତୁଳନାରେ ଏଥର ମାତ୍ର ୧୩ ଟି ୱାର୍ଡ ଜିତିଛି। ସ୍ୱାଧୀନ ପ୍ରାର୍ଥୀମାନେ ୮ ଟି ୱାର୍ଡ ଜିତିଛନ୍ତି ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଗୋଟିଏ ଜିତିଛି। ଟିଡିପି , ଜେଏସ୍ପି ଓ ବିଜେପି କର୍ମୀମାନେ ବାଣ ଫୁଟାଇ ଓ ମିଠା ବାଣ୍ଟି ସେମାନଙ୍କ ବିଜୟକୁ ପାଳନ କରିଥିଲେ।
