ଦାନଗଦିରେ ସାମାଜିକ ଅଧିକାରୀତା ଶିବିର: ୧୬୫ ଦିବ୍ୟାଙ୍ଗଜନଙ୍କୁ ୧୩.୧୭ ଲକ୍ଷ ଟଙ୍କାର ସହାୟକ ଉପକରଣ ବଣ୍ଟନ
ଦାନଗଦି, ଯାଜପୁର, (ଖବର ଦର୍ପଣ): ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରଣାଳୟର ଯୋଜନା ଅନୁଯାୟୀ ଏକ ସାମାଜିକ ଅଧିକାରୀତା ଶିବିର ଆୟୋଜିତ ହୋଇଥିଲା। ଦିବ୍ୟାଙ୍ଗଜନଙ୍କ ଜୀବନମାନର ଉନ୍ନତି ଓ ସେମାନଙ୍କ ଦୈନନ୍ଦିନ ଚଳାଚଳକୁ ସହଜ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସହାୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପ୍ରଦିପ ବଳ ସାମନ୍ତ । ନିଜ ଉଦ୍ବୋଧନରେ ସେ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ, ସମ୍ମାନ ଓ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହେଉଥିବା କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ଓ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଦିବ୍ୟାଙ୍ଗଜନଙ୍କ ଜୀବନକୁ ଅଧିକ ସ୍ୱାବଲମ୍ବୀ ଓ ସମ୍ମାନଜନକ କରିବା ପାଇଁ ସରକାର ପ୍ରତିବଦ୍ଧ ଭାବେ କାମ କରୁଛି।
ଶିବିରରେ ମୋଟ ୧୬୫ ଜଣ ଚିହ୍ନଟ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ପ୍ରାୟ ୧୩.୧୭ ଲକ୍ଷ ଟଙ୍କା ମୂଲ୍ୟର ୨୨୯ଟି ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ବଣ୍ଟନ କରାଯାଇଥିବା ସାମଗ୍ରୀ ମଧ୍ୟରେ ୩୭ଟି ଟ୍ରାଇସାଇକେଲ, ୪୪ଟି ଶ୍ରବଣ ସହାୟକ ଯନ୍ତ୍ର, ୮ଟି କୁଷ୍ଠରୋଗୀ କିଟ୍, ୮ଟି ବ୍ରେଲ କେନ୍, ୨୦ଟି କ୍ରଚେସ୍, ୧୦ଟି ରୋଲେଟର, ୮ଟି ସୁଗମ୍ୟ କେନ୍, ୧୮ଟି ଟି.ଏଲ.ଏମ. କିଟ୍, ୧୦ଟି ଚାଲିବା ବାଡ଼ି ଓ ୬ଟି ହୁଇଲ୍ ଚେୟାର୍ ସାମିଲ ଥିଲା।
ଏହି ଅବସରରେ ଦାନଗଦି ବ୍ଲକ ବିକାଶ ଅଧିକାରୀ (ବିଡିଓ) ସହିତ ବହୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଜେପି ନେତା ଓ କର୍ମୀମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ସ୍ଥଳରେ ଦିବ୍ୟାଙ୍ଗଜନଙ୍କୁ ସହାୟକ ସାମଗ୍ରୀ ପ୍ରଦାନ ସହ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ଓ ଆବଶ୍ୟକତା ବିଷୟରେ ମଧ୍ୟ ଅବଗତ ହୋଇଥିଲେ ଅତିଥିବୃନ୍ଦ।
ସ୍ଥାନୀୟ ଅଞ୍ଚଳରେ ଏପରି ଶିବିର ଆୟୋଜନ ଦିବ୍ୟାଙ୍ଗଜନଙ୍କ ଆତ୍ମନିର୍ଭରଶୀଳତା ବଢ଼ାଇବା ସହ ସେମାନଙ୍କ ଜୀବନମାନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
