ଷ୍ଟକ ବଜାରରେ ମଙ୍ଗଳବାର ବଡ଼ଧରଣର ହ୍ରାସ
ମୁମ୍ବାଇ: ଭାରତୀୟ ଷ୍ଟକ ବଜାରରେ ମଙ୍ଗଳବାର ବଡ଼ଧରଣର ହ୍ରାସ ଦେଖାଦେଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୮୯୩ ପଏଣ୍ଟ ବା ୧.୧୬ ପ୍ରତିଶତ ହ୍ରାସ ଘଟି ୭୬,୨୦୦.୬୮ ପଏଣ୍ଟକୁଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୨୭୯ ପଏଣ୍ଟ ବା ୧.୧୬ ପ୍ରତିଶତ ହ୍ରାସ ଘଟି ୨୩,୮୨୪.୧୦ ପଏଣ୍ଟରେ ବନ୍ଦ ହୋଇଛି।
ପ୍ରଫିଟ୍ ବୁକ୍ ପାଇଁ ନିବେଶକମାନେ ବହୁମାତ୍ରାରେ ସେୟାର ବିକ୍ରି କରିବା ଫଳରେ ପୁଞ୍ଜିବଜାର ନିମ୍ନମୁଖୀ ହୋଇଛି। ଏଥିପାଇଁ ଆଜି ଗୋଟିଏ ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ପାଖାପାଖି ୬ ଲକ୍ଷ ଟଙ୍କା କମିଯାଇଛି। ପୂର୍ବରୁ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାରପୁଞ୍ଜି ୪୮୦.୬ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ତାହା ୪୭୫ ଲକ୍ଷ କୋଟି ଟଙ୍କା ତଳକୁ ଚାଲିଆସିଛି।
ପ୍ରଫିଟ୍ ବୁକ୍ ସହିତ ମୌସୁମୀ ବର୍ଷା ନିଅଣ୍ଟିଆ ରହିବା ମଧ୍ୟ ପୁଞ୍ଜିବଜାର ନିମ୍ନମୁଖୀ ହେବାର ଅନ୍ୟତମ କାରଣ। ମୌସୁମୀ ବର୍ଷା ଆରମ୍ଭରୁ ଭଲ ନହେବା କାରଣରୁ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଲୋକଙ୍କ ଆୟ ଓ ଚାହିଦା ପ୍ରଭାବିତ ହେବା ଆଶଙ୍କା ରହିଛି। ଏକ ରିପୋର୍ଟ ଅନୁଯାୟୀ ଦେଶର ୪୫୦ରୁ ଅଧିକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଯଦିଓ ମଧ୍ୟପ୍ରାଚ୍ୟ ଯୁଦ୍ଧ ଜନିତ ଆଶଙ୍କା କିଛିମାତ୍ରାରେ ଟଳିଛି ତଥାପି ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧିଜନିତ ଚିନ୍ତା ନିବେଶକଙ୍କ ମଧ୍ୟରେ ରହିଛି।
