ସତର୍କତା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆନ୍ ସାଇବର କ୍ରାଇମ କୋର୍ଡିନେସନ ସେଂଟର
ଆପଣ ଏକା ଏକା ରହୁଛନ୍ତି । ବିଳମ୍ବିତ ରାତିରେ ନିରୋଳାରେ ମୋବାଇଲ ଖେଳାଉଛନ୍ତି । ଖେଳାଉ ଖେଳାଉ କିଛି କିଛି ଦୃଶ୍ୟ ଆପଣଙ୍କୁ ଆକୃଷ୍ଟ କରୁଛି । ଆପଣ ସେଠି ଅଟକି ଯାଉଛନ୍ତି ଆଉ ସେହି ସିନ୍ ଉପରେ କ୍ଲିକ୍ କରିଦେଉଛନ୍ତି । ଆଉ ତା ପରେ..? କିଛି ମୁହଁ ଲୁଚେଇ କାନ୍ଦୁଛନ୍ତି ତ ଆଉ କିଛି ଯାଉଛନ୍ତି ସିଧା ପୋଲିସ ଷ୍ଟେସନ । କାରଣ ଏଇ ଗୋଟିଏ କ୍ଲିକ୍ରେ ଗାଏବ ହୋଇଯାଉଛି ବ୍ୟାଙ୍କ ଆକାଉଂଟରେ ଥିବା କଷ୍ଟ ଅର୍ଜିତ ଲକ୍ଷ ଲକ୍ଷ ଟଙ୍କା । ତେବେ ଆଗକୁ ଆପଣଙ୍କୁ ଆହୁରି ସଜାଗ ହେବାକୁ ପଡ଼ିପାରେ । ଏଥର ଏହି ସାଇବର ଲୁଟେରାମାନେ ଆହୁରି ଚାଲାକ ହୋଇ ଆପଣଙ୍କୁ ଲୁଟ୍ କରିବାକୁ ପ୍ରସ୍ତୁତ । ସଜାଗ ନ ହେଲେ ମୁହୂର୍ତକରେ ଆପଣ ହୋଇପାରନ୍ତି ବର୍ବାଦ! ଏଭଳି ସତର୍କତା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆନ୍ ସାଇବର କ୍ରାଇମ କୋର୍ଡିନେସନ ସେଂଟର । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ସୋସିଆଲ ମିଡିଆରେ ଘୂରି ବୁଲୁଥିବା କିଛି ନିର୍ଦ୍ଦିଷ୍ଟ ଆପ୍କୁ ମୋବାଇଲ୍ରେ ଇନଷ୍ଟଲ କରିବା ପରେ ଲୋକଙ୍କ ଆକାଉଂଟ୍ରୁ ପଇସା ଗାଏବ ହୋଇଯାଉଛି । ଅର୍ଥାତ ଏହି ଆପ୍ଗୁଡିକ ମାଧ୍ୟମରେ ସାଇବର ଠକମାନେ ଲୋକଙ୍କୁ ଲୁଟୁଛନ୍ତି । ଏହି ଆପ୍ଗୁଡିକ ମଧ୍ୟରେ, ‘ନାଇଟ୍ ପ୍ଲେ’, ‘କ୍ୟାସ୍’, ‘ରିଲୁପ୍’ ‘ଭିମୋ’, ‘ରିଭୋ’, ‘ନେସ୍କୋ’, ‘ଭିକ୍ସା’ ଆଦି ଅନ୍ୟତମ । କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଉକ୍ତ ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଏହି ଆପ୍ଗୁଡିକ ଲୋକମାନଙ୍କୁ ଠକିବାକୁ ଏକପ୍ରକାର ଜାଲ ବିଛାଉଛନ୍ତି । ସେମାନେ ସୋସିଆଲ ମିଡିଆ ସାଇଟରେ ଅଶ୍ଳୀଳ ଭିଡ଼ିଓ ମାଧ୍ୟମରେ ଲୋକମାନଙ୍କୁ ଆକୃଷ୍ଟ କରୁଛନ୍ତି । ଏହି ଦୃଶ୍ୟରେ ଆକୃଷ୍ଟ ହୋଇ ଲୋକେ ଥରେ ଏହାକୁ ଇନଷ୍ଟଲ କରିଦେଲେ ସଙ୍ଗେ ସଙ୍ଗେ ହ୍ୟାକରମାନେ ଟଙ୍କା ଲୁଟି ନେଉଛନ୍ତି । ଥରେ ଇନଷ୍ଟଲ ହୋଇଗଲେ ହ୍ୟାକର୍ମାନେ କଅଁଳେଇ କାଆଁଳେଇ ଓଟିପି ହାତେଇ ନେଉଚନ୍ତି । ଆଉ ତା ପରେ ତାଙ୍କଠୁ ପିଛା ଛାଡ଼ିବା ମୁସ୍କିଲ୍ । ଏହି ଆପ୍ଗୁଡ଼ିକ ଏମିତି ଭାବେ ତିଆରି ହୋଇଛନ୍ତି ଯେ, ଥରେ ଇନଷ୍ଟଲ ହୋଇଗଲେ ଏହାକୁ ଡିଲିଟ୍ କରିବା ମୁସ୍କିଲ । ତେଣୁ କେବଳ ଗୁଗୁଲ୍ ପ୍ଲେଷ୍ଟୋରରୁ ହିଁ ଆପ୍ଗୁଡିକୁ ଅପଲୋଡ କରିବାକୁ ଏହି ମାର୍ଗଦର୍ଶିକାରେ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ସେହିପରି ଷ୍ଟୋରୀ କରିଥିବା ଆପ୍ଗୁଡିକୁ ମଧ୍ୟ ନିୟମିତ ବ୍ୟବଧାନରେ ଡିଲଟ୍ କରିବାକୁ ଏଥିରେ କୁହାଯାଇଛି ।
