ରାଜ୍ୟ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି
ଭୁବନେଶ୍ଵର: ଯାଜପୁର ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଘଟଣାରେ ରାଜ୍ୟ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି। ରାଜ୍ୟ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା, ମୋଟ ୧୦୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଜଣଙ୍କୁ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଅବଶିଷ୍ଟ ୧୯ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ୱାର୍ଡରେ ଏବଂ ୧୬ ଜଣ ବୟସ୍କଙ୍କ ଚିକିତ୍ସା ଜାରି ରହିଛି।
ଘଟଣା ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ , ଯାଜପୁର ଜିଲ୍ଲାପାଳ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ କଥା ହୋଇ ସେ ଆକ୍ରାନ୍ତ ରୋଗୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ପରେ ସର୍କିଟ୍ ହାଉସରେ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କୁ ତ୍ଵରିତ ଚିକିତ୍ସା ନିମନ୍ତେ ଆଦେଶ ଦେଇଥିଲେ ।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ଆକ୍ରାନ୍ତମାନଙ୍କ ଚିକତ୍ସା ନିମନ୍ତେ ଅତ୍ୟାବଶ୍ୟକୀୟ ଔଷଧ, ଓଆରଏସ ଏବଂ ଜରୁରୀକାଳୀନ ଯୋଗାଣର ପର୍ଯ୍ୟାପ୍ତ ପରିମାଣ ସୁନିଶ୍ଚିତ କରାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ୨୪ ଘଣ୍ଟିଆ ରୋଗୀ ତଦାରଖ ଓ ଚିକିତ୍ସା ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଯାଞ୍ଚ ଅଭିଯାନକୁ ତୀବ୍ର କରିବା ସହ ସଚେତନତା କରାଯାଉଛି । ଆକ୍ରାନ୍ତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଘଟଣା ଉପରେ ନଜର ରଖା ଯାଇଛି ।
