September 11, 2026

ଆରତୀ ଦାସ ହତ୍ୟା ମାମଲା

law

ଭଦ୍ରକ: ବାସୁଦେବପୁର ଥାନା ଅନ୍ତର୍ଗତ ଖେମେଶ୍ୱରପୁର ଗ୍ରାମର ଆରତୀ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ସୁରେନ୍ଦ୍ର ଦାସଙ୍କ ପୁତ୍ର ମଧୁସୂଦନ ଦାସଙ୍କୁ ଭଦ୍ରକ ଜିଲ୍ଲା ତଥା ଦୌରା ଜଜ ଲଲାଟେନ୍ଦୁ ଜେନା ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁନଶ୍ଚ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ବାସୁଦେବପୁର ଥାନା ବ୍ରାହ୍ମଣୀଗାଁ ଖେମେଶ୍ୱରପୁର ଗ୍ରାମର ନାରାୟଣ ଦାସଙ୍କ ପତ୍ନୀ ଆରତୀ ଗତ ୨୦୨୧ ମସିହା ଜୁଲାଇ ମାସ ୨୨ ତାରିଖରେ ବିଲରୁ କାମ କରି ଫେରୁଥିବା ବେଳେ ସେହି ଗାଁର ତିନିଛକି ପାଖରେ ତାଙ୍କର ପଡୋଶୀ ମଧୁସୂଦନ ଦାସ ପୂର୍ବ ଶତ୍ରୁତା କାରଣରୁ ହାତରେ ଧରିଥିବା ସାବଳ ଦ୍ୱାରା ତାଙ୍କ ମୁଣ୍ଡକୁ ଲକ୍ଷ କରି ନିର୍ମମ ଭାବରେ ପିଟିଥିଲେ। ଆରତୀ ଗୁରୁତ୍ତର ହୋଇ ସେଠାରେ ପଡି ରହିଥିବା ବେଳେ ତାଙ୍କ ସ୍ୱାମୀ ଖବର ପାଇ ସେଠାରେ ପହଂଚି ତାଙ୍କୁ ଉଦ୍ଦାର କରି ବାସୁଦେବପୁର ଡାକ୍ତରଖାନା ନେଇ ଯାଇଥିଲେ। ସେଠାରୁ ଭଦ୍ରକ ଓ ପରେ କଟକ ବଡ଼ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ବେଳେ ଆରତୀ ମୃତ୍ୟୁ ବରଣ କରିଥିଲା. ନାରୟଣଙ୍କ ଲିଖିତ ଅଭିଯୋଗ ମୂଳେ ବାସୁଦେବପୁର ଥାନା କେସ ନଂ ୨୧୯/୨୧ ଦଫା ୩୦୨ ରେ ଏକ କେସ ହୋଇ ଅଭିଯୁକ୍ତ ମଧୁସୂଦନକୁ ପୋଲିସ ସେହି ମାସ ୧୪ ତାରିଖରେ ଗିରଫ କରି କୋର୍ଟ ପଠାଇ ଦେଇଥିଲା। ସେହି ଦିନରୁ ସେ ବିଚରାଧୀନ ବନ୍ଦୀ ଭାବରେ ଜେଲରେ ଅଟକ ଅଛି। ଜିଲ୍ଲା ଜଜଙ୍କ କୋର୍ଟରେ ଏସ ଟି କେସ ନମ୍ବର – ୧୯/୨୧ ମୂଳେ ବିଚାର ହୋଇ ଆଜି ତାଙ୍କର ରାୟ ପ୍ରକାଶ ପାଇ ଉପରୋକ୍ତ ଦଣ୍ଡ ପ୍ରଦାନ କରାଯାଇଛି। ସରକାରଙ୍କ ତରଫରୁ ପବ୍ଲିକ ପ୍ରଶିକ୍ୟୁଟର ମିନା ଟପ୍ପୋ ମାମଲା ପରିଚାଳନା କରୁଥିଲେ।

About The Author