ଟାଟା ଷ୍ଟିଲ ଫାଉଣ୍ଡେସନ “ଆସ୍ପାୟାର”ରେ ଦୈତ ନିଯୁକ୍ତି ଅଭିଯୋଗ : ତଦନ୍ତ ଦାବି ଜୋରଦାର

WhatsApp Image 2026-05-25 at 7.21.02 PM

କଳିଙ୍ଗନଗର/ସୁକିନ୍ଦା, ତା. ୨୪/୦୫ (ଖବର ଦର୍ପଣ): ଟାଟା ଷ୍ଟିଲ ଫାଉଣ୍ଡେସନ ପରିଚାଳିତ “ଆସ୍ପାୟାର” ସଂସ୍ଥାରେ ଦୈତ ନିଯୁକ୍ତି ଓ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୁକିନ୍ଦା ବ୍ଲକ ଶିକ୍ଷା ବିଭାଗ ଅଧୀନ ଦିବ୍ୟାଙ୍ଗ ବିଭାଗରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ସରକାରୀ ସୁବିଧା ସହିତ ସମାନ ସମୟରେ “ଆସ୍ପାୟାର”ରେ ମଧ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଅସନ୍ତୋଷ ବୃଦ୍ଧି ପାଉଛି।
ଅଭିଯୋଗ ଅନୁଯାୟୀ, ସୁନିତା ବାରିକ ନାମକ ମହିଳା ସୁକିନ୍ଦା ବ୍ଲକର ସଂସାଇଲୋ କ୍ଲଷ୍ଟର ଅଧୀନରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସରକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ, ସେହି ସମୟରେ ଟାଟା ଷ୍ଟିଲ ଫାଉଣ୍ଡେସନ ଅଧୀନ “ଆସ୍ପାୟାର”ର ଓଳିଆ ଗ୍ରାମପଞ୍ଚାୟତର କମ୍ୟୁନିଟି ମୋବିଲାଇଜର (GPCM) ଭାବେ ୨୦୧୫-୧୬ ମସିହାରୁ କାର୍ଯ୍ୟ କରି ଦରମା ଓ ଇପିଏଫ ସୁବିଧା ନେଇଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ମହଳରେ ପ୍ରଶ୍ନ ଉଠୁଛି ଯେ, ଏତେ ବର୍ଷ ଧରି ଦୈତ ନିଯୁକ୍ତି ଥିବା ସତ୍ତ୍ୱେ ସଂସ୍ଥାର ଉଚ୍ଚ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନ କିପରି ଏହା ସମ୍ପର୍କରେ ଅବଗତ ହେଲେ ନାହିଁ। କେତେକ ମହଳ ଏହାର ନିଷ୍ପକ୍ଷ ତଦନ୍ତ ଦାବି କରିଛନ୍ତି।
ଏହା ପୂର୍ବରୁ ମଧ୍ୟ ଦାନଗଦି ବ୍ଲକର ଜଣେ ମହିଳା ଏକାଧାରରେ “ଆସ୍ପାୟାର” ଶିକ୍ଷକ ଓ ମିଶନ ଶକ୍ତି ବିଭାଗର ସିଆରପି ଭାବେ କାର୍ଯ୍ୟ କରୁଥିବା ଘଟଣା ପ୍ରକାଶ ପାଇବା ପରେ ସଂସ୍ଥା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚର୍ଚ୍ଚା ହୋଇଥିଲା।
ସୂଚନା ଅନୁସାରେ, “ଆସ୍ପାୟାର”ରେ ଏଭଳି ଦୈତ ନିଯୁକ୍ତିର ଅଭିଯୋଗ ଏକାଧିକ କର୍ମଚାରୀଙ୍କ ବିରୋଧରେ ମଧ୍ୟ ରହିଛି। କେତେକ କର୍ମଚାରୀ ସ୍ଥାନୀୟ କାରଖାନା, ବୀମା କମ୍ପାନୀ ଓ ଅନ୍ୟ ସଂସ୍ଥାରେ କାର୍ଯ୍ୟରତ ଥିବା ସତ୍ତ୍ୱେ “ଆସ୍ପାୟାର”ରେ ନିଯୁକ୍ତି ପାଇଥିବା ଅଭିଯୋଗ ହେଉଛି।
ଅନ୍ୟପଟେ, ଗତବର୍ଷ କଳିଙ୍ଗନଗର ଗସ୍ତ ସମୟରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ନେଇ ବଡ଼ ଘୋଷଣା କରାଯାଇଥିବା ବେଳେ, ସୁକିନ୍ଦା ଅଞ୍ଚଳରୁ ୬୦ରୁ ଅଧିକ ଯୁବକ-ଯୁବତୀଙ୍କୁ ବିନା ନୋଟିସରେ ଛଟେଇ କରାଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ସଂସ୍ଥାରେ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ନଥିବା ସହ ପରିବାରବାଦ ଓ ପକ୍ଷପାତିତ୍ୱ ଅଭିଯୋଗ ମଧ୍ୟ ଉଠିଛି। ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ସଂସ୍ଥାର କେତେକ ପଦବୀରେ ଏକେ ପରିବାରର ଏକାଧିକ ସଦସ୍ୟ କାର୍ଯ୍ୟରତ ଅଛନ୍ତି।
ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, “ଏଥିକ୍ସ” ଓ ସ୍ଵଚ୍ଛତାର କଥା କହୁଥିବା ଟାଟା ଷ୍ଟିଲ ଫାଉଣ୍ଡେସନ ଏଭଳି ଅଭିଯୋଗ ଉପରେ କେବେ ଓ କିପରି ପଦକ୍ଷେପ ନେବ। ଦୈତ ନିଯୁକ୍ତି ଅଭିଯୋଗରେ ଜଡିତ କର୍ମଚାରୀଙ୍କ ବିରୋଧରେ ସଂସ୍ଥା କଣ କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
(ବି.ଦ୍ର.: ଉପରୋକ୍ତ ସମସ୍ତ ତଥ୍ୟ ସ୍ଥାନୀୟ ଅଭିଯୋଗ ଓ ମିଳିଥିବା ସୂଚନା ଆଧାରରେ ପ୍ରସ୍ତୁତ। ସମ୍ପୃକ୍ତ ପକ୍ଷର ମତାମତ ମିଳିଲେ ପ୍ରକାଶ କରାଯିବ।)

About The Author