November 13, 2026

ପ୍ରାୟ ୧୩ କିଲୋଗ୍ରାମ ସୁନା ଅଳଙ୍କାର ଓ ୩ କିଲୋଗ୍ରାମ ହୀରା ଅଳଙ୍କାର ଚୋରି

WhatsApp Image 2026-11-13 at 5.05.51 PM

ଚେନ୍ନାଇ:ତାମିଲନାଡୁର ମଦୁରାଇରେ ଏକ ନୂତନ ଭାବରେ ଖୋଲାଯାଇଥିବା ତନିଷ୍କ ସୋରୁମରେ ଜଣେ ଚୋର ଏକାକୀ ପଶି ପ୍ରାୟ ୫୦ କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର ନେଇ ରାତାରାତି ଛୁ ମାରିଛି। ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ସନ୍ଦିଗ୍ଧ ବ୍ୟକ୍ତି ଲିଫ୍ଟ ସାଫ୍ଟ ପାଖରେ ଏକ ଖୋଲା ବାଟ ଦେଇ ସୋରୁମ ଭିତରେ ପ୍ରବେଶ କରୁଛନ୍ତି। ଗୁରୁବାର ସକାଳେ ସୋରୁମ୍‌ର କର୍ମଚାରୀ ଆସିବା ପରେ ଦେଖିଥିଲେ ଯେ, ଗହଣା ସବୁ ‌ଚୋରି ହୋଇଯାଇଛି। କର୍ମଚାରୀ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ପ୍ରାରମ୍ଭିକ ଆକଳନ ଅନୁଯାୟୀ, ସୋରୁମରେ ପ୍ରାୟ ୧୩ କିଲୋଗ୍ରାମ ସୁନା ଅଳଙ୍କାର ଓ ୩ କିଲୋଗ୍ରାମ ହୀରା ଅଳଙ୍କାର ମହଜୁଦ ଥିଲା। ଚୋରି ହୋଇଥିବା ଅଳଙ୍କାରର ସଠିକ୍ ପରିମାଣ ଓ ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ କଳା ପୋଷାକ ପିନ୍ଧି ଓ ମୁହଁରେ ମାସ୍କ ପିନ୍ଧି ଲିଫ୍ଟ ସାଫ୍ଟ ପାଖରେ ଥିବା ଏକ ଖୋଲା ବାଟ ଦେଇ ସୋରୁମ୍‌ରେ ପ୍ରବେଶ କରିଥିଲା ଓ ଅଳଙ୍କାର ଲୁଟି ସେହି ବାଟ ଦେଇ ଖସି ଯାଇଥିଲା।
ନଅଟି ସ୍ୱତନ୍ତ୍ର ଦଳ ଗଠନ
ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ନଅଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ପୁଲିସ ସୋରୁମ୍ ଓ ଆଖପାଖ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଜବତ କରିଛି। ଡକାୟତି ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତକାରୀମାନେ ସେହି ଅଞ୍ଚଳ ଦେଇ ରାତି ପ୍ରାୟ ୩ଟାରେ ଯାଇଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଯାଞ୍ଚ କରୁଛନ୍ତି ଓ ସେମାନଙ୍କର ମାଲିକମାନଙ୍କୁ ପଚରାଉଚରା କରୁଛନ୍ତି।

About The Author