September 9, 2026

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ

WhatsApp Image 2026-09-05 at 8.31.48 PM

ଦାରିଙ୍ଗବାଡ଼ି, ୫।୯: କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରାଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ଶିକ୍ଷକ ସନିଆ ପ୍ରଧାନଙ୍କ ମଞ୍ଚ ପରିଚାଳନାରେ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସମ୍ମାନିତ ଅତିଥିଭାବେ ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନା, ବିଇଓ ମହେଶ୍ୱର ମାଝୀ, ଏବିଇଓ ଦାଇତ୍ୱ ରେ ରହିଥିବା ବରିଷ୍ଠ ଶିକ୍ଷକ କୌଶିକ ନାୟକ, ମୁଳୁନ୍ଦ ବଳିୟାର ସିଂ, ଶିକ୍ଷକ ନେତା କୈଳାଶ ଚନ୍ଦ୍ର ପ୍ରଧାନ ଏବଂ ରାପଡାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷତ୍ରୀ ତଥା ସଙ୍ଘର ଉପସଭାନେତ୍ରୀ ଚାରୁଶିଲା ମଲିକ ପ୍ରମୁଖ ମଞ୍ଚାସିନ ଥିଲେ।

ସଙ୍ଗୀତ ନିର୍ଦ୍ଦେଶକ ସାରଦା ବଳିୟାର ସିଂଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିବା ସହ ସମସ୍ତ ଅତିଥିଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପରେ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା ସମ୍ପାଦକୀୟ ପାଠ କରି ଗୁରୁଦିବସର ଆଭିମୁଖ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଗୁରୁଦିବସ ଅବସରରେ ଗୁରୁମାନଙ୍କୁ ସମ୍ମାନ ଜଣାଇବା ସହ ପ୍ରତିବର୍ଷ ଅବସର ଗ୍ରହଣ କରୁଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ସଭାପତି କହିଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ୱବୋଧର ସହ ତୁଲାଇ ଆସୁଥିବା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ପରେ ଅତିଥିମାନେ ଗୁରୁଦିବସର ମହତ୍ତ୍ୱ ଏବଂ ସମାଜ ଗଠନରେ ଗୁରୁମାନଙ୍କ ଭୂମିକା ଓ ସେବା ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ଅବସର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେମାନଙ୍କୁ ମାନପତ୍ର ସହ ଅଙ୍ଗବସ୍ତ୍ର ଓ ସ୍ମୃତିପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

About The Author