ଛତିଶଗଡ଼ ଐତିହ୍ୟର ପ୍ରତ୍ୟକ୍ଷ ଅନୁଭୂତି ସାଉଣ୍ଟିଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

WhatsApp Image 2026-09-15 at 5.33.46 PM

ଛତିଶଗଡ଼: ଆନ୍ତଃରାଜ୍ୟ ସାମ୍ବାଦିକ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ଛତିଶଗଡ଼ର ଅନ୍ୟତମ ପ୍ରମୁଖ ଐତିହାସିକ ସ୍ଥଳୀ ସିରପୁରର ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଓ ସାଂସ୍କୃତିକ ଐତିହ୍ୟର ପରିଦର୍ଶନ କରିଛନ୍ତି।

ପିଆଇବି ଭୁବନେଶ୍ୱରର ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ସୋମବାର ସିରପୁରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଦ୍ୱାରା ସଂରକ୍ଷିତ ଓ ରକ୍ଷଣାବେକ୍ଷଣ କରାଯାଉଥିବା ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ବୁଲି ଦେଖିଥିଲେ।

ଏହି ଅବସରରେ ସାମ୍ବାଦିକମାନେ ପ୍ରାଚୀନ ସ୍ଥଳୀଗୁଡ଼ିକର ଐତିହାସିକ ଓ ସ୍ଥାପତ୍ୟଗତ ଗୁରୁତ୍ୱ, ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ଏବଂ ସେଗୁଡ଼ିକ ସହ ଜଡ଼ିତ ସମୃଦ୍ଧ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ବିଶେଷଜ୍ଞମାନଙ୍କଠାରୁ ସବିଶେଷ ତଥ୍ୟ ହାସଲ କରିଥିଲେ।

ଓଡ଼ିଶାର ସାମ୍ବାଦିକମାନଙ୍କୁ ଛତିଶଗଡ଼ର ଐତିହ୍ୟ, ବିକାଶମୂଳକ ପଦକ୍ଷେପ ଏବଂ ସାଂସ୍କୃତିକ ବିବିଧତା ସହିତ ପରିଚିତ କରାଇବା ପାଇଁ ଏହି ଗଣମାଧ୍ୟମ ପରିଭ୍ରମଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ସେମାନେ ପ୍ରତ୍ୟକ୍ଷ ଅନୁଭୂତି ଓ ସଠିକ୍ ତଥ୍ୟ ଆଧାରରେ ଏହି ଖବରଗୁଡ଼ିକୁ ବ୍ୟାପକ ପାଠକବର୍ଗଙ୍କ ପାଖରେ ପହଞ୍ଚାଇ ପାରିବେ।

ପରିଦର୍ଶନ ସମୟରେ ଏଠାରେ ଥିବା ପ୍ରସିଦ୍ଧ ଲକ୍ଷ୍ମଣ ମନ୍ଦିର ସାମ୍ବାଦିକଙ୍କ କୌତୁହଳ ବୃଦ୍ଧି କରିଥିଲା। ଏହାର ସ୍ୱତନ୍ତ୍ର ଇଟା ସ୍ଥାପତ୍ୟ, ସୂକ୍ଷ୍ମ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ କଳାକୁ ସେମାନେ ନିରୀକ୍ଷଣ କରିଥିଲେ। ଏହି ପ୍ରତିନିଧି ଦଳ ସ୍ଥାନୀୟ ବାଲେଶ୍ୱର ମହାଦେବ ମନ୍ଦିର ଏବଂ ସୁରଙ୍ଗ ଟିଲା ମଧ୍ୟ ପରିଦର୍ଶନ କରି ଏହି ଅଞ୍ଚଳରେ ମନ୍ଦିର ସ୍ଥାପତ୍ୟର ବିକାଶ ଓ ଧାର୍ମିକ ପରମ୍ପରା ସମ୍ପର୍କରେ ପଚାରି ବୁଝିଥିଲେ।

ଗଣମାଧ୍ୟମ ପ୍ରତିନିଧିମାନେ ତିୱରଦେବ ବୌଦ୍ଧ ବିହାର ପରିଦର୍ଶନ କରି ସିରପୁରର ବୌଦ୍ଧ ଐତିହ୍ୟ ବିଷୟରେ ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଖନନ କରାଯାଇଥିବା ବୌଦ୍ଧ ବିହାର ଏବଂ ଏହାର କୀର୍ତ୍ତିରାଜିର ଅବଶେଷ, ବୌଦ୍ଧ କାର୍ଯ୍ୟକଳାପ ଓ ସାଂସ୍କୃତିକ ଆଦାନପ୍ରଦାନର କେନ୍ଦ୍ର ଭାବରେ ସିରପୁରର ଗୁରୁତ୍ୱ ବିଷୟରେ ସାମ୍ବାଦିକମାନଙ୍କୁ ଧାରଣା ଦେଇଥିଲା।

ପ୍ରତିନିଧି ଦଳକୁ ଏହି କୀର୍ତ୍ତିରାଜିଗୁଡ଼ିକର ଐତିହାସିକ ପୃଷ୍ଠଭୂମି, ଖନନରୁ ମିଳିଥିବା ତଥ୍ୟ ଏବଂ ସ୍ଥାପତ୍ୟଗତ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ପ୍ରତ୍ୟକ୍ଷ ଅନୁଧ୍ୟାନ ସାମ୍ବାଦିକମାନଙ୍କୁ ହିନ୍ଦୁ ଓ ବୌଦ୍ଧ ପରମ୍ପରାର ସହଅବସ୍ଥାନ ଏବଂ ପ୍ରାଚୀନ ସିରପୁରର ସମୃଦ୍ଧ ସାଂସ୍କୃତିକ ପରିବେଶ ବିଷୟରେ ଗଭୀର ଧାରଣା ହାସଲ କରିବାରେ ସାହାଯ୍ୟ କରିଥିଲା।

କେନ୍ଦ୍ର ସଞ୍ଚାର ବ୍ୟୁରୋ (ସିବିସି) ସମ୍ବଲପୁରର ସହକାରୀ ନିର୍ଦ୍ଦେଶକ ମନମୋହନ ପାଢ଼ୀ ଏବଂ ପିଆଇବି ଭୁବନେଶ୍ୱରର ସୂଚନା ସହାୟକ ବିକାଶ ରଞ୍ଜନ ଦଳାଇଙ୍କ ସହଯୋଗରେ ଏହି ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

About The Author