September 11, 2026

ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ଶୁକ୍ରବାର ଧର୍ମଘଟ କରିବାକୁ ନିଷ୍ପତ୍ତି

WhatsApp Image 2026-09-11 at 3.18.52 PM

ନୂଆଦିଲ୍ଲୀ : ସାରା ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ଶୁକ୍ରବାର ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଦୀର୍ଘ ଦିନର ଦାବି ସରକାର ପୂରଣ କରୁ ନଥିବାରୁ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ)ଏହି ପଦକ୍ଷେପ ନେଇଛି। ତେବେ ଶୁକ୍ରବାର ସହ କ୍ରମାଗତ ୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। କାରଣ ଶୁକ୍ରବାର ପରେ ୧୨ ତାରିଖ ଦ୍ବିତୀୟ ଶନିବାର, ତା’ ପରଦିନ ରବିବାର, ସୋମବାର ଗଣେଶ ପୂଜା ଓ ମଙ୍ଗଳବାର ନୂଆଁଖାଇ ଛୁଟି ପଡୁଛି। ସୂଚନା ଅନୁଯାୟୀ,୫ ଦିନିଆ କାର୍ଯ୍ୟ ଦିବସ, ପରଫରମାନ୍ସ ଲିଙ୍କଡ ଇନସେନଟିଭ (ପିଏଲଆଇ) ପ୍ରତ୍ୟାହାର, ପେନସନ ସହିତ ଅନ୍ୟ ଦାବି ପୂରଣ ପାଇ ସଂଘ ଦାବି କରିଆସୁଛି। ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏହାକୁ ପୂରଣ କରାଯାଇ ନାହିଁ ବୋଲି ସଂଘ କହିଛି। ଏହା ପୂର୍ବରୁ ପିଏଲଆଇ ଯୋଜନାକୁ କେନ୍ଦ୍ର ସରକାର ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ। ମାତ୍ର ସଂଘ ଏତିକିରେ ସନ୍ତୁଷ୍ଟ ହୋଇନାହିଁ। ଏହି ଧର୍ମଘଟ ଏଡ଼ାଇବା ପାଇଁ ବ୍ୟାଙ୍କ ସଂଘ ଓ ସରକାରଙ୍କ ମଧ୍ୟରେ ବୈଠକ ହୋଇଥିଲା। ତେବେ ଏଥିରୁ କୌଣସି ଫଳାଫଳ ବାହାରି ପାରି ନ ଥିଲା। ୟଏଫବିୟୁ ପକ୍ଷରୁ କୁହାଯାଇଛି ଯେ ସପ୍ତାହକୁ ୫ ଦିନିଆ କାର୍ଯ୍ୟ ଦିବସ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କିମ୍ବା ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ଦେବା ନ ଯାଏ ଧର୍ମଘଟ ପ୍ରତ୍ୟାହାର କରାଯିବ ନାହିଁ। ଏଥର ଦାବି ପୂରଣ ନ ହେଲେ ସେପ୍ଟେମ୍ବର ୨୮, ୨୯ ଓ ୩୦ରେ ପୁଣି କର୍ମଚାରୀ କାର୍ଯ୍ୟ ବନ୍ଦ କରିବେ। ଏହା ସତ୍ତ୍ବେ ସରକାର ନ ଶୁଣିଲେ ଅକ୍ଟୋବର ୨୬ରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

About The Author