ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ
ଯାଜପୁର: ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗ୍ରାମରେ। ଗତକାଲି ସକାଳୁ ନିକଟସ୍ଥ ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହି ଗ୍ରାମର ଜଣେ ଦହିବରା ବ୍ୟବସାୟୀଙ୍କଠାରୁ ପାଟପୁର ଗ୍ରାମର ଶତାଧିକ ଲୋକେ ବହିବରା ଖାଇଥିଲେ, ଖାଇବାର କିଛି ସମୟ ପରେ ବିଳମ୍ବିତ ରାତିରୁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା।
ତାପରେ ଝାଡା, ବାନ୍ତି, ପେଟ ଦରଜ ହେବାରୁ ଜଣକ ପରେ ଜଣେ ଅସୁସ୍ଥ ହେବାରୁ ସେମାନଙ୍କୁ ନିକଟସ୍ଥ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଗୁରୁତର ଲୋକ ଏବଂ ଆବଶ୍ୟକ ବେଡ଼ ବ୍ୟବସ୍ଥା ନଥିବାରୁ ୩୦ରୁ ଅଧିକ ଲୋକଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି, ଖବର ପାଇ ସିଡ଼ିଏମଓ ବିଜୟ କୁମାର ମିଶ୍ର ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରୁଛନ୍ତି।
ଏହି ଘଟଣାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଂଚିଲେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଦହିବରା ଖାଇ ଅସୁସ୍ଥ ଥିବା ରୋଗୀଙ୍କୁ ଭେଟିବା ସହିତ ସ୍ଥିତି ର ସମୀକ୍ଷା କଲେ। ଯାଜପୁରର ସାଂସଦ ଡଃ.ରବୀନ୍ଦ୍ର ନାରାୟଣ ବେହେରା, ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପୁଷ୍ପିତା ମହାନ୍ତି, ଜିଲ୍ଲାପାଳ ଅମ୍ବର କୁମାର କର, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ବିଜୟ କୁମାର ମିଶ୍ର ଉପସ୍ଥିତ ରହି ଆକ୍ରାନ୍ତଙ୍କ ସ୍ଥିତି କିଭଳି ରହିଛି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦିବ୍ୟ ଭୁଷଣ ମହାନ୍ତି, ବିଜେପି ନେତା ଗୌତମ ରାୟ, ବିଜେପି ନେତ୍ରୀ ବବିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
