ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା: ଦାନଗଦି ବ୍ଲକରେ ହରିଲୁଟ୍‌ର ଗନ୍ଧ​ବାସୁମହାନ୍ତି ବନ୍ଧ ପୁନରୁଦ୍ଧାରରେ ନିୟମର ଧଜିଆ, ଶ୍ରମିକ ବଦଳରେ ମେସିନରେ ଚାଲିଛି କାମ

WhatsApp Image 2026-05-20 at 5.26.40 PM

​କଳିଙ୍ଗନଗର, ତା ୧୯/୫/୨୬ : ରାଜ୍ୟରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ପ୍ରଶାସନର ବାସ୍ତବ ଚିତ୍ର ଗ୍ରାଉଣ୍ଡ ଜିରୋରେ ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍‌ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ମନରେଗା (MGNREGA) ଯୋଜନାରେ ବ୍ୟାପକ ସରକାରୀ ଅର୍ଥ ହରିଲୁଟ୍ ହେଉଥିବା ନେଇ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କ୍ଷେତ୍ର ସ୍ତରରେ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଥିବା ବେଳେ ପ୍ରଶାସନ ଏବେ ନୀରବ ଦ୍ରଷ୍ଟା ସାଜିଛି।
​୧୦ ଲକ୍ଷର ପ୍ରକଳ୍ପ: କାଗଜପତ୍ରରେ ଶ୍ରମିକ, ଗ୍ରାଉଣ୍ଡରେ ମେସିନ୍
​ପ୍ରାପ୍ତ ସୂଚନା ଅନୁଯାୟୀ, ପଙ୍କପାଳ ପଞ୍ଚାୟତରେ ଥିବା ବାସୁମତୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ୨୦୨୫-୨୦2୬ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଏହି ପ୍ରକଳ୍ପର ସମୁଦାୟ ମୂଲ୍ୟ ୧୦ ଲକ୍ଷ ଟଙ୍କା ରହିଛି। ସରକାରୀ ଆକଳନ ଅନୁସାରେ, ଏହି ଅର୍ଥରୁ ୬ ଲକ୍ଷ ୪୦ ହଜାର ଟଙ୍କା ଗରିବ ଶ୍ରମିକ ମାନଙ୍କ ମଜୁରୀ ବାବଦରେ ଖର୍ଚ୍ଚ ହେବାକୁ ଥିବା ବେଳେ ବଳକା ୩ ଲକ୍ଷ ୬୦ ହଜାର ଟଙ୍କା ସାମଗ୍ରୀ କିଣିବା ପାଇଁ ବ୍ୟୟବରାଦ କରାଯାଇଛି।​ମନରେଗା ଆଇନର ପ୍ରାବଧାନ ଅନୁଯାୟୀ, ଗ୍ରାମୀଣ ଗରିବ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ପାଇଁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ହାତରେ କରାଯିବା ବାଧ୍ୟତାମୂଳକ ଏବଂ ଏଥିରେ କୌଣସି ପ୍ରକାରର ଭାରି ମେସିନାରୀ (ଯେପରିକି ଜେସିବି) ବ୍ୟବହାର କରାଯାଇପାରିବ ନାହିଁ। ମାତ୍ର ବାସୁମତୀ ବନ୍ଧ କାର୍ଯ୍ୟରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଉକ୍ତ କାର୍ଯ୍ୟରେ ଜଣେ ହେଲେ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରାନଯାଇ ରାତିଅଧିଆ ମେସିନ୍ ଲଗାଇ ବନ୍ଧ ଖୋଳାଯାଇଛି ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଇ ବିଲ୍ ପାସ୍ କରିବାର ଚକ୍ରାନ୍ତ ଚାଲିଛି।​ଜାଲ୍ ଜବ୍‌ କାର୍ଡ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଉଠାଣ!​ଏହି ମହାଦୁର୍ନୀତିର ଚେର ଆହୁରି ଗଭୀରକୁ ଯାଇଛି। ଅଭିଯୋଗ ହେଉଛି ଯେ, ଯେଉଁ ଜବ୍‌ କାର୍ଡଧାରୀଙ୍କ ନାମରେ ଏହି କାର୍ଯ୍ୟ ଚାଲିଥିବା ଦର୍ଶାଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ପ୍ରକୃତ ଶ୍ରମିକ ନୁହଁନ୍ତି। କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଅଧିକାରୀଙ୍କ ମିଳିତ ସଲାସୁତୁରାରେ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଅଯୋଗ୍ୟ ଲୋକଙ୍କ ନାମରେ ଜାଲ୍ ଜବ୍ କାର୍ଡ ପ୍ରସ୍ତୁତ କରାଯାଇଛି। ସେହି ନାମରେ ନକଲି ବିଲ୍ ଓ ମାଷ୍ଟର ରୋଲ୍ ପ୍ରସ୍ତୁତ କରି ସିଧାସଳଖ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଉଠାଣ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି।​ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ନିଜ ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ସ୍ୱଚ୍ଛତାର ଭାଷଣ ଦେଉଥିବା ବେଳେ, ବାସ୍ତବରେ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିବାକୁ ପ୍ରଶାସନ ପାଖରେ ସମୟ ନାହିଁ। ଫଳରେ ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ମନରେଗା ଯୋଜନା ଏବେ କଳିଙ୍ଗନଗର ଅଞ୍ଚଳରେ ଏକ ଦୁର୍ନୀତିର ଚାରାଗଛ ପାଲଟିଛି।
​ଏହି ସମ୍ପୂର୍ଣ୍ଣ ଘଟଣାର ଯଦି ଏକ ଉଚ୍ଚସ୍ତରୀୟ ନିରପେକ୍ଷ ପ୍ରଶାସନିକ ତଦନ୍ତ କରାଯାଏ, ତେବେ ଜାଲ୍ ମାଷ୍ଟର ରୋଲ୍ ଏବେଂ ଅର୍ଥ ହରିଲୁଟ୍‌ର ସମସ୍ତ ଗୁମର ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ତୁରନ୍ତ ବାସୁମତୀ ବନ୍ଧ କାର୍ଯ୍ୟର ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତ ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଜନତା ଏବଂ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।

About The Author