କଳିଙ୍ଗନଗରରେ ପ୍ରସ୍ତାବିତ କ୍ରୋମାଇଟ୍ ବେନିଫିକେସନ୍ ପ୍ଲାଣ୍ଟକୁ ତୀବ୍ର ବିରୋଧ: ଜନବସତି ଓ ପରିବେଶ ସୁରକ୍ଷା ପାଇଁ ୧୬ ଗାଁର ଗ୍ରାମବାସୀ ଏକଜୁଟ୍, ଟମକା ଥାନାରେ ଗୁହାରି

WhatsApp Image 2026-05-20 at 5.27.31 PM

କଳିଙ୍ଗନଗର,ତା ୧୯/୫\୨୬ : ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ଦେଉଳକଣ ପଞ୍ଚାୟତର ପାର୍ଟବାଲି ମୌଜାରେ ନୂତନ ଭାବେ ପ୍ରସ୍ତାବିତ ହେବାକୁ ଥିବା “କ୍ରୋମାଇଟ୍ ବେନିଫିକେସନ୍ ପ୍ଲାଣ୍ଟ” କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଏହି କାରଖାନା ନିର୍ମାଣ ହେଲେ ସ୍ଥାନୀୟ ପରିବେଶ, ଜଳଉତ୍ସ ଓ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବାର ଆଶଙ୍କା କରି ପାର୍ଟବାଲି ସମେତ ପାର୍ଶ୍ୱବର୍ତ୍ତୀ ପ୍ରାୟ ୧୬ଟି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହାର ଦୃଢ଼ ବିରୋଧ କରିଛନ୍ତି। ଏହି ସଂକ୍ରାନ୍ତରେ ଗ୍ରାମବାସୀମାନେ ଯାଜପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଟମକା ଥାନା ଅଧିକାରୀଙ୍କୁ ଭେଟି ଆପତ୍ତି ଜଣାଇଛନ୍ତି।​ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ ପ୍ଲାଣ୍ଟଟି ଏକ ବେନିଫିକେସନ୍ ୟୁନିଟ୍ ହୋଇଥିବାରୁ ଏଥିରୁ ନିର୍ଗତ ହେବାକୁ ଥିବା ଦୂଷିତ ବର୍ଜ୍ୟଜଳ ଏବଂ ସେଥିରେ ରହିବାକୁ ଥିବା ଅତି ମାରାତ୍ମକ ଓ କର୍କଟ ରୋଗ ସଦୃଶ ବିଷାକ୍ତ କେମିକାଲ୍ ‘ହେକ୍ସାଭାଲେଣ୍ଟ କ୍ରୋମିୟମ’  ସ୍ଥାନୀୟ ଗଣ୍ଡାନାଳ ଜଳରେ ମିଶିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ଏହି ଗଣ୍ଡାନାଳ ଉପରେ ପାର୍ଟବାଲି ସମେତ ୧୬ଟି ଗ୍ରାମର ହଜାର ହଜାର ଜନସାଧାରଣ ଶୌଚଠାରୁ ଆରମ୍ଭ କରି ଗୃହପାଳିତ ପଶୁଙ୍କ ପାଇଁ ଏବଂ ଅନେକ ସମୟରେ ପାନୀୟ ଜଳ ଭାବେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। ଗଣ୍ଡାନାଳର ଜଳ ବିଷାକ୍ତ ହେଲେ ସାରା ଅଞ୍ଚଳରେ ମହାମାରୀ ଓ ସ୍ୱାସ୍ଥ୍ୟ ସଂକଟ ଦେଖାଦେବ ବୋଲି ଗ୍ରାମବାସୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।​ପ୍ରସ୍ତାବିତ କାରଖାନାଟି ଜନବସତିର ଅତି ନିକଟରେ ନିର୍ମାଣ ହେଉଥିବାରୁ ଏହା ନିକଟରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଦୂଷଣର ଶିକାର ହେବେ। କାରଖାନାରୁ ନିର୍ଗତ ଦୂଷିତ ପାଣି ଚାଷଜମିକୁ ପ୍ରବେଶ କଲେ ଚାଷଜମି ଗୁଡ଼ିକ ଉର୍ବରତା ହରାଇ ଅନୁପଯୋଗୀ ହୋଇପଡ଼ିବ, ଯାହାଫଳରେ କୃଷି ଉପରେ ନିର୍ଭରଶୀଳ ସ୍ଥାନୀୟ ଚାଷୀ ନିଜର ଜୀବିକା ହରାଇବେ।
​ଏଥିସହିତ, ଅଞ୍ଚଳରେ ପୂର୍ବରୁ ହିଁ ପାନୀୟ ଜଳର ସମସ୍ୟା ରହିଥିବା ବେଳେ, କାରଖାନା ପାଇଁ ବ୍ୟାପକ ପରିମାଣରେ ଗଭୀର ନଳକୂପ  ଖନନ କରାଯିବାକୁ ଯୋଜନା ଚାଲିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଭୂତଳ ଜଳସ୍ତର  ଗଭୀରକୁ ଚାଲିଯିବ ଏବଂ ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ନଳକୂପ ଗୁଡ଼ିକ ଶୁଖିଯାଇ ପାନୀୟ ଜଳର ଏକ ଭୟଙ୍କର ସଙ୍କଟ ସୃଷ୍ଟି ହେବ।​ଏହି ୧୬ ଗାଁରେ ବଢୁଛି ଅସନ୍ତୋଷ ​କାରଖାନା ଦ୍ୱାରା ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେବାକୁ ଥିବା ପ୍ରମୁଖ ଗ୍ରାମଗୁଡ଼ିକ ମଧ୍ୟରେ ପାର୍ଟବାଲି , ଆସନବନି ,  ଦେଉଳକାଣ , ଚକ୍ରାଧରପୁର ,  ନୂଆସାହି, ଚନ୍ଦ୍ରୀସାହି, ମହୁଲଶୁଳା ,  ବିଗାତଳିଆ , କାଠଆଦିରବିଂଝାରି , ଓଗରପଡ଼ା, ଚିଙ୍ଗୁଡ଼ିପାଳ,  ପଥରବନ୍ଧ,  ଆମ୍ବନଜର,  ଓସ୍ତପାଳ ଏବଂ ବଗପଡଟିଆ ଆଦି ଗ୍ରାମର ଜନସାଧାରଣ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି।କାରଖାନା ଦ୍ୱାରା ଜଳ, ପବନ ଓ ମାଟି ପ୍ରଦୂଷିତ ହେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ଥାନୀୟ ଲୋକଙ୍କ ମୌଳିକ ଜୀବନ ଜୀବିକା ବିପନ୍ନ ହେବାକୁ ଯାଉଥିବାରୁ, ଏହି ପ୍ରସ୍ତାବିତ ପ୍ଲାଣ୍ଟକୁ ଜନବସତି ଅଞ୍ଚଳରୁ ହଟାଇ ଅନ୍ୟ କୌଣସି ଅଣ-ପ୍ରଭାବିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ ହାତଯୋଡ଼ି ପ୍ରାର୍ଥନା କରିଛନ୍ତି। ଯଦି ପ୍ରଶାସନ ଏହି ଦିଗରେ ତୁରନ୍ତ ପଦକ୍ଷେପ ନନିଏ, ତେବେ ଆଗାମୀ ଦିନରେ ଏହି ଜନ-ଆନ୍ଦୋଳନ ଆହୁରି ବ୍ୟାପକ ରୂପ ନେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି।​ସୂଚନାଯୋଗ୍ୟ ଯେ, ଏହି ସ୍ମାରକପତ୍ରର ନକଲ ଓଡ଼ିଶା ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନ ଓ ଶିଳ୍ପ ମନ୍ତ୍ରୀ, ଯାଜପୁର ଏସ.ପି., କଳିଙ୍ଗନଗର ଅତିରିକ୍ତ ଏସ.ପି. ଓ ଏ.ଡି.ଏମ., ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB) ର ଆଞ୍ଚଳିକ ଅଧିକାରୀ, ଦାନଗଦି ତହସିଲଦାର, ଟମକା ଥାନା ଅଧିକାରୀ ଏବଂ ଦେଉଳକଣ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।

About The Author