କଳିଙ୍ଗନଗର ଥାନା ପୋଲିସର ବଡ଼ ସଫଳତା
ମୋବାଇଲ ଚୋର ଗ୍ୟାଙ୍ଗର ଦୁଇ ଅଭିଯୁକ୍ତ ଗିରଫ, ୧୧ ମୋବାଇଲ ଓ ୨ ଚୋରା ବାଇକ ଜବତ
କଳିଙ୍ଗନଗର, ତା.୨୭/୦୫(ଖବର ଦର୍ପଣ) : କଳିଙ୍ଗନଗର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମୋବାଇଲ ଚୋରି ଓ ଚୋରା ସାମଗ୍ରୀ କ୍ରୟ ବିକ୍ରୟ ଘଟଣାରେ ଜଡିତ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ରାମଚନ୍ଦ୍ରପୁର ଥାନା ଅଧୀନ ଲୁଣିଆପଦର ଗ୍ରାମର ଶିଶିର ନାଥ (୩୨) ଓ ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଭୀମ ଦାସ। ଭୀମ ଦାସ ଚୋରା ମୋବାଇଲ ଓ ସାମଗ୍ରୀ କିଣୁଥିବା ରିସିଭର ଭାବେ କାମ କରୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
କଳିଙ୍ଗନଗର ଥାନା କେସ ନମ୍ବର ୧୫୩, ତାରିଖ ୨୫/୦୫/୨୦୨୬, ଧାରା ୩୦୫(ଏ) ବିଏନଏସ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ପୋଲିସ ଛାପାମାରି ସମୟରେ ଅଭିଯୁକ୍ତଙ୍କ ନିକଟରୁ ୧୧ଟି ମୋବାଇଲ ଫୋନ ଓ ୨ଟି ଚୋରା ମୋଟରସାଇକେଲ ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଶିଶିର ନାଥ ଜଣେ କୁଖ୍ୟାତ ମୋବାଇଲ ଚୋର ଭାବେ ପରିଚିତ। ତାଙ୍କ ନାମରେ ବିଭିନ୍ନ ଥାନାରେ ପ୍ରାୟ ୨୫ଟି ମାମଲା ରହିଥିବା ଜଣାପଡ଼ିଛି। ସେ ପ୍ରାୟତଃ ମୋବାଇଲ ଚୋରି କରି ଚୋରା ସାମଗ୍ରୀ ରିସିଭରଙ୍କ ମାଧ୍ୟମରେ ବିକ୍ରୟ କରୁଥିବା ଅଭିଯୋଗ ରହିଛି।
ଏହି ଘଟଣା ପରେ କଳିଙ୍ଗନଗର ଅଞ୍ଚଳରେ ସକ୍ରିୟ ଚୋର ଚକ୍ର ଉପରେ ପୋଲିସର କଡ଼ା ନଜର ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି।
