September 10, 2026

କଳିଙ୍ଗନଗରରେ ଯୁବ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ

body

ଦାନଗଦି/କଳିଙ୍ଗନଗର: କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗଡ଼ିଆ ଅଞ୍ଚଳର ଏକ ଭଡା ଘରୁ ୨୪ ବର୍ଷୀୟ ଯୁବକ ରଞ୍ଜିତ ମିଶ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ରଞ୍ଜିତ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ଗ୍ରାମର ବାସିନ୍ଦା ହୋଇଥିବା ବେଳେ କଳିଙ୍ଗନଗରସ୍ଥିତ ଜିଞ୍ଜର ହୋଟେଲରେ ଏକ ଠିକା ସଂସ୍ଥା ମାଧ୍ୟମରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କାର୍ଯ୍ୟସ୍ଥଳରେ ରଞ୍ଜିତଙ୍କୁ ଦୀର୍ଘଦିନ ଧରି ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା। ନିୟମିତ ଛୁଟି ନ ଦେଇ ତାଙ୍କୁ ଲଗାତାର ରାତ୍ରି ଡ୍ୟୁଟି କରିବାକୁ ବାଧ୍ୟ କରାଯାଉଥିବା ଏବଂ ଏନେଇ ଅଭିଯୋଗ କରିବା ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବା ସେମାନେ ଦାବି କରିଛନ୍ତି। ଏହି ମାନସିକ ଚାପ ହିଁ ରଞ୍ଜିତଙ୍କ ମୃତ୍ୟୁର କାରଣ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଅନ୍ୟପଟେ, ଏହି ଘଟଣାକୁ ନେଇ ପରିବାର ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ବୈଜ୍ଞାନିକ ଟିମ୍ ପ୍ରମାଣ ସଂଗ୍ରହ କରିଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ପୋଲିସର କହିବା ଅନୁଯାୟୀ, ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ତେବେ ଏହି ଘଟଣା କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ଉପରେ ମାନସିକ ଚାପ ଓ କାର୍ଯ୍ୟ ପରିବେଶକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।
– ମୃତ୍ୟୁଞ୍ଜୟ ଦେଓ, କଳିଙ୍ଗନଗର

About The Author