September 9, 2026

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା

WhatsApp Image 2026-09-09 at 3.07.42 PM

ପାରାଦୀପ, ୯।୯:ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି। ମେରାଇନ ଥାନାଠାରୁ ଆରମ୍ଭ କରି କ୍ରାଇମ୍‌ବ୍ରାଞ୍ଚ ଓ ସିବିଆଇ ପର୍ଯ୍ୟନ୍ତ ତଦନ୍ତ ହୋଇଛି। ଓଡ଼ିଶା ଓ କୋଲକାତା ଉଚ୍ଚ ନ୍ୟାୟାଳୟରେ ମଧ୍ୟ ମାମଲା ହୋଇଛି। ଏହାସତ୍ତ୍ୱେ ଜାହାଜ ବୁଡ଼ି ଘଟଣାର ରହସ୍ୟ ଜଣାପଡ଼ିନାହିଁ। ସମାନ ଘଟଣା ଭଳି ଚଳିତବର୍ଷ ଗତ ଅଗଷ୍ଟ ୨୧ ତାରିଖରେ ଏମ୍‌ଭି ଓସେନ ୱିନର ନାମକ ଜାହାଜ ପାରାଦୀପରୁ ଚାଇନା ଯିବାବେଳେ ବାଟରେ ବୁଡ଼ିଯାଇଛି। ସେଥିରେ ଥିବା ୨୪ ନାବିକଙ୍କ ମଧ୍ୟରୁ ୨ଜଣ ଜୀବିତ ଉଦ୍ଧାର ହୋଇଥିଲେ ହେଁ ଅନ୍ୟ ୨୨ ଜଣଙ୍କ ଏପର୍ଯ୍ୟନ୍ତ ସନ୍ଧାନ ମିଳିନାହିଁ। ଜାହାଜ ବୁଡ଼ିଯାଇଥିବା ଅଞ୍ଚଳରେ କୋଷ୍ଟଗାର୍ଡ, ନୌସେନା, ଚାଇନା ନୌସେନା ପକ୍ଷରୁ ସପ୍ତାହେ ପର୍ଯ୍ୟନ୍ତ ଖୋଜାଖୋଜି ସତ୍ତ୍ୱେ ତାହା ମିଳିନାହିଁ। ଏପରିକି ଜାହାଜକୁ ମଧ୍ୟ ଠାବ କରାଯାଇପାରି ନାହିଁ।
୨୦୦୯ ସେପ୍ଟେମ୍ବର ୯ (୦୯-୦୯-୦୯)ରେ ବ୍ଲାକରୋଜ୍‌ ଜାହାଜ ପାରାଦୀପ ପୋତାଶ୍ରୟରୁ ମାତ୍ର ୬ କିମି ସମୁଦ୍ରରେ ବୁଡ଼ି ଯାଇଥିଲା। ସେଥିରେ ଥିବା ୨୬ ନାବିକଙ୍କ ମଧ୍ୟରୁ ସେହିଦିନ ରାତିରେ ବନ୍ଦର ମେରାଇନ ବିଭାଗ ୨୫ ଜଣଙ୍କୁ ଉଦ୍ଧାର କରିଥିଲେ। ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡ ଓଦା ଥିବାରୁ ଜାହାଜ ବୁଡ଼ି ଯାଇଥିଲା ବୋଲି ସେତେବେଳେ କୁହାଯାଇଥିଲା। ଏମ୍‌ଭି ଓସେନ ୱିନର ମଧ୍ୟରେ ମଧ୍ୟ ସେହିପରି ଓଦା ଲୁହାପଥର ଗୁଣ୍ଡ ଥିବାରୁ ତାହା ବୁଡ଼ିଛି ବୋଲି ବନ୍ଦର ଶ୍ରମିକ କର୍ମଚାରୀ ୟୁନିୟନ ଉପସଭାପତି ସୁଧାକର ମନ୍ତ୍ରୀ ଲିଖିତ ଭାବେ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଅଭିଯୋଗ କରିଛନ୍ତି।

About The Author