ଜୁନ୍ ୧୮ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା
ଭୁବନେଶ୍ୱର,୧୪।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା ଦେଇ ଗତି କରୁଛି। ଏହା ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ଥିବାରୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଆଉ କିଛି ଅଂଶକୁ ମୌସୁମୀ ଛୁଇଁବା ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ୧୮ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ରବିବାର ରାଜ୍ୟର କେତେକ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକୁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ୱାର୍ନିଂ ଜାରି କରାଯାଇଛି। ସେହିପରି ମଧ୍ୟମ ଧରଣର ଝଡ଼ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ୱାର୍ନିଂ ଜାରି ହୋଇଛି। ଅପରପକ୍ଷେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରହିଥିଲା। ଶନିବାର ଭବାନୀପାଟଣାରେ ସର୍ୱାଧିକ ୪୧ ଡିଗ୍ରୀ, ବଲାଙ୍ଗୀରରେ ୪୦.୬, ଝାରସୁଗୁଡ଼ାରେ ୪୦.୪, ଟିଟିଲାଗଡ଼ ଓ ସୁବର୍ଣ୍ଣପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସମ୍ୱଲପୁରରେ ୩୯.୮, ନୂଆପଡ଼ାରେ ୩୮.୬, ଅନୁଗୋଳରେ ୩୮.୪, ଢେଙ୍କାନାଳରେ ୩୮, ଭୁବନେଶ୍ୱର ଓ ରାଉରକେଲାରେ ୩୭.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।
