September 11, 2026

ରାଜ୍ୟରେ ଗଡ଼ୁଥିବା ୧୦୮ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ବା ସଠିକ୍‌ ମରାମତି ହେଉନାହିଁ

WhatsApp Image 2026-06-18 at 1.45.23 PM (1)

ଭୁବନେଶ୍ବର: ରାଜ୍ୟରେ ଗଡ଼ୁଥିବା ୧୦୮ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ବା ସଠିକ୍‌ ମରାମତି ହେଉନାହିଁ। ଅନେକ ସମୟରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚୁଥିବାବେଳେ ଉଭୟ ରୋଗୀ ଏବଂ କର୍ମଚାରୀ ହଟହଟା ହେଉଛନ୍ତି। ବିଶେଷକରି କେଉଁ ଗାଡ଼ିରେ ଏସି କାମ କରୁନଥିବାବେଳେ ଆଉ କାହାର ଲାଇଟ୍‌ ଜଳୁନାହିଁ। ପୁଣି କାହାର ଟାୟାର ଅବସ୍ଥା ଭଲ ନଥିବା ଦେଖିବାକୁ ମିଳୁଛି। ଓଭରହିଟ୍‌ ସହ ସର୍ଟସର୍କିଟ ଯୋଗୁଁ ଅନେକ ସ୍ଥାନରେ ଆମ୍ବୁଲାନ୍ସ ଜଳିଯାଉଥିବା ଅଭିଯୋଗ ହେଉଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ୧୦୮ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା ସଂସ୍ଥାର ଏପରି କାର୍ଯ୍ୟ ଯୋଗୁଁ ପରୋକ୍ଷରେ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ବଦନାମ ହେଉଛି। ଯେଉଁସବୁ ଆମ୍ବୁଲାନ୍ସ ଖରାପ ହେଉଛି ତାହାର ତ୍ବରିତ ଓ ସଠିକ୍ ମରାମତି କରିବାକୁ ବହୁ ଆମ୍ବୁଲାନ୍ସ ଚାଳକ ଦାବି କରିଛନ୍ତି।ଏବେ ପ୍ରାୟ ଅନେକ ଗାଡ଼ିରେ ଏସି ସଠିକ୍ ଭାବେ କାମ କରୁନାହିଁ। ଡୋର୍ କାଚ ଖୋଲି ଗୁରୁତର ରୋଗୀଙ୍କୁ ହସ୍ପିଟାଲ ନିଆଯାଉଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଗୁରୁତର ରୋଗୀ ୪୫ ଡିଗ୍ରୀ ଖରାରେ ବିନା ଏସିରେ ହସ୍ପିଟାଲ ଯାଉଛନ୍ତି। ବାଲେଶ୍ବର ଜିଲା ସିମୁଳିଆରେ ଏପରି ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସରେ ଏସି କାମ କରୁନଥିବାବେଳେ ଏନେଇ ଗତ ଏପ୍ରିଲରେ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଦାୟିତ୍ବରେ ଥିବା ଏମ୍ରି ଗ୍ରିନ୍ ସଂସ୍ଥାକୁ ଚିଠି କରାଯାଇଥିଲା।

ତେବେ ଏସି ସଜାଡ଼ିବା ପାଇଁ ଆବଶ୍ୟକ ପାର୍ଟ୍ସ ମିଳୁନଥିବା ଜଣାପଡ଼ିଛି। ଅପରପକ୍ଷେ ଯାଜପୁର ଜିଲାର କୁଆଖିଆ ଏବଂ ବୈତରଣୀ ରୋଡ୍‌ରୁ ସଙ୍ଗିନ ଅଭିଯୋଗ ଆସିଛି। ଅନେକ ଗାଡ଼ିର ଟାୟାର ଖରାପ ଥାଇ ରାସ୍ତାରେ ଗଡ଼ୁଛି। ଏପରିକି ବିନା ଲାଇଟ୍‌ରେ ମଧ୍ୟ ଗାଡ଼ି ଚାଲିଥିବା ଅଭିଯୋଗ ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା- ରାସ୍ତାରେ ଯାଉଥିବା ସମୟରେ ହଠାତ ଗାଡ଼ିରେ ନିଆଁ ବି ଲାଗିଯାଉଛି। ନାମ ଗୋପନ ରଖି ଜଣେ ଆମ୍ବୁଲାନ୍ସ ଚାଳକ କହିଛନ୍ତି, ଗାଡ଼ି ଅଧିକ ସମୟ ଚଳାଇବା ପରେ ଓଭରହିଟ୍ ହୋଇ ବ୍ୟାଟେରି ନିକଟରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଯାଉଛି। ସେହିପରି ରାଜଧାନୀର ଆଉ ଜଣେ ଚାଳକ କହିଛନ୍ତି, ପ୍ରତି ୧୦ ହଜାର କି.ମି. ଚାଲିବା ପରେ ଗାଡ଼ିକୁ ମରାମତି କରିବା କଥା, ହେଲେ ତାହା ହେଉନାହିଁ। ନିକଟରେ ଖୋରଧା, କଟକ ଏବଂ ଯାଜପୁର ଜିଲାରେ ୧୦୮ ଆମ୍ବୁଲାନ୍ସ ଜଳିଯାଇଥିଲା।

About The Author