September 10, 2026

କନ୍ଧମାଳ ଜିଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ

WhatsApp Image 2026-08-10 at 6.56.23 PM

ଜି.ଉଦୟଗିରି: କନ୍ଧମାଳ ଜିଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଗଦଗୁଡ଼ା ଗ୍ରାମ ତଳସାହିର ସୁଭଦେବ ପ୍ରଧାନ(୩୫) ପରିବାର ପ୍ରତିପୋଷଣ ପାଇଁ କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲା ଆର୍କାପଡ଼ି ଅଞ୍ଚଳରେ ଠାରେ ଥିବା ଏକ ଘରୋଇ କାମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୯ ତାରିଖ ରବିବାର ତଳେ ପଡ଼ି ମୁଣ୍ଡରେ ଆଘାତ ଲାଗିଥିଲା । ଗାଁ ଲୋକମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହି ଖବରପାଇ ପରିବାର ତଥା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତ ସୁଭଦେବଙ୍କ ମରଶରୀରକୁ ନିଜ ଗ୍ରାମ ଗଦଗୁଡ଼ାକୁ ଆଣିବା ପାଇଁ ପରିବାର ତରଫରୁ ସ୍ବାକ ସଂଗଠନ ସହାୟତାରେ ସୋମବାର କନ୍ଧମାଳ ଜିଲାପାଳ ଏବଂ ଜିଲା ଶ୍ରମ ଅଧିକାରୀଙ୍କୁ ଭେଟି ମୃତ ସୁଭଦେବଙ୍କ ମରଶରୀରକୁ ନିଜ ଗ୍ରାମକୁ ଆଣିବା ସହ ଶବ ସତ୍କାର ସହାୟତା ନିମନ୍ତେ ଏକ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଜିଲାପାଳ ତୁରନ୍ତ ପଦକ୍ଷେପ ନେଇ ଜିଲା ରେଡକ୍ରସର ଜରୁରୀକାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର କରାଯିବ ବୋଲି ସୁଚନା ମିଳିଛି ।କେରଳରେ ଶବ ବ୍ୟବଚ୍ଛେଦ ପରେ ବିମାନ ଯୋଗେ ଭୁବନେଶର ଆଣିବା ପରେ ନିଜ ଗାଁକୁ ଅଣାଯାଇ ସତ୍କାର କରାଯିବ । ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲାକୁ ଦାଦନ ଜିଲା ଭାବେ ପରିଚୟ ଦେଇଥିବା ଆଲୋଚନା ହେଉଛି ।କନ୍ଧମାଳ ଜିଲାରୁ ପରିବାର ପ୍ରତିପୋଷଣ ନିମନ୍ତେ ଅନ୍ୟ ଜିଲା ଓ ରାଜ୍ୟ ଉପରେ ନିର୍ଭର କରି ଜୀବିକା ଅନେୱଷଣରେ ଯାଉଥିବା ଦାଦନ ଶ୍ରମିକଙ୍କ କରୁଣ ଚିତ୍ର ସାମ୍ନାକୁ ଆସିଛି। ବିଗତ ୧୫ ଦିନ ମଧ୍ୟରେ କନ୍ଧମାଳ ଜିଲାର ୬ ଜଣ ଦାଦନ ଶ୍ରମିକ ବିଭିନ୍ନ ସ୍ଥାନରେ ମୃତ୍ୟୁ ବରଣ କରିଛନ୍ତି। ନିରୀହ ଶ୍ରମିକଙ୍କ ମୃତ୍ୟୁ ରୋକିବା ପାଇଁ ଜିଲାରେ ଦୀର୍ଘମିଆଦି ରୋଜଗାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

About The Author