ଏନଇଇଟି ପେପର୍ ଲିକ୍-୨୦୨୬
ନୂଆଦିଲ୍ଲୀ: ଏନଇଇଟି ପେପର ଲିକ୍ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟରେ ଗଠିତ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ସେମାନଙ୍କର ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଅପରାଧିକ ବିଶ୍ୱାସ ଭଙ୍ଗ, ପ୍ରମାଣ ନଷ୍ଟ, ଦୁର୍ନୀତି ଏବଂ ସାର୍ବଜନୀନ ପରୀକ୍ଷା ଆଇନ ଅନୁଯାୟୀ ଅପରାଧ ଅଭିଯୋଗ କରାଯାଇଛି। ସିବିଆଇ ଅନୁଯାୟୀ, ଚାର୍ଜସିଟରେ ୩୬୦ ଜଣ ସାକ୍ଷୀ, ୪୨୨ଟି ଦସ୍ତାବିଜ ଏବଂ ୪୩ ପ୍ରମାଣ ରହିଛି। ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଆଧାରରେ ୨୦୨୬ ମେ’ ୧୨ ତାରିଖରେ ଏନେଇ ଏଫଆଇଆର ରୁଜୁ କରାଯାଇଥିଲା। ପେପର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।
ଫରେନସିକ୍, ହସ୍ତଲିଖନ ଏବଂ ପାଠ୍ୟ ତଥ୍ୟରୁ ପେପର ଲିକ୍ ହେବା ନିଶ୍ଚିତ
ସିବିଆଇ ଆଠ ଜଣ ସାଇବର ବିଶେଷଜ୍ଞଙ୍କ ସମେତ ୭୨ ଜଣ ଅଧିକାରୀଙ୍କ ଏକ ଦଳ ଗଠନ କରିଥିଲା ଏବଂ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ୯୨ଟି ସ୍ଥାନରେ ଚଢାଉ କରିଥିଲା। ଡିଜିଟାଲ୍ ଡିଭାଇସ୍ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ଜବତ କରାଯାଇଥିଲା ଏବଂ ଫରେନସିକ୍ ଯାଞ୍ଚ କରାଯାଇଥିଲା। ସିବିଆଇ କହିଛି ଯେ ଫରେନସିକ୍, ହସ୍ତଲିଖନ ଏବଂ ପାଠ୍ୟ ତଥ୍ୟରୁ ପେପର ଲିକ୍ ହେବା ନିଶ୍ଚିତ ହୋଇଛି।
